ପ୍ରବାସୀ ଶ୍ରମିକଙ୍କୁ ରାଜଧାନୀ ମନା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ପଦକ୍ଷେପ ନେଇଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩୧ ଯାଏଁ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି। ଏହାସହିତ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ବାହାରୁ ଶ୍ରମିକ ଆଣିବେ, ସେମାନଙ୍କୁ ନିଶ୍ଚିିତ ଭାବେ ୧୪ଦିନ କ୍ୱାରେଣ୍ଟାଇନରେ ରଖିବା ସହ ସେମାନଙ୍କର କୌଣସି ଲକ୍ଷଣ ଦେଖାଦେଲେ ନିଜ ଖର୍ଚ୍ଚରେ କୋଭିଡ୍ ପରୀକ୍ଷା କରାଇବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ରାଜ୍ୟର ହଟସ୍ପଟ ଜିଲ୍ଲା ପାଲଟିଥିବା ଗଞ୍ଜାମ, ଗଜପତି, ବାଲେଶ୍ୱର, କଟକ ଓ ଯାଜପୁରରୁ ରାଜଧାନୀକୁ ଶ୍ରମିକମାନଙ୍କୁ ଆଣିବାକୁ ମଧ୍ୟ ବିଏମସି କମିଶନର ବାରଣ କରିଛନ୍ତି। ଅଣହଟସ୍ପଟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶ୍ରମିକମାନଙ୍କୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ନଆଣିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଏହି ନିର୍ଦ୍ଦେଶକୁ ଅଣଦେଖା କରନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେହିଭଳି ରାଜଧାନୀର ହସ୍ପିଟାଲକୁ ମଧ୍ୟ ଗାଇଡ୍‌ଲାଇନ ଜାରି କରାଯାଇଛି। ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଆସିଥିବା ବ୍ୟକ୍ତି ହସ୍ପିଟାଲ ଓପିଡିକୁ ଗଲେ ତାଙ୍କୁ ଟେଷ୍ଟ କରି ଆଇସୋଲେସନରେ ରହିବା ପାଇଁ କିମ୍ବା ଅଲଗା ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି।

ମତାମତ ଦିଅନ୍ତୁ ।