ପ୍ରେମରେ ପ୍ରତିବନ୍ଧକ ହେବାରୁ ମା’କୁ ରାସ୍ତାରୁ ହଟାଇଲା ଝିଅ

ନୂଆଦିଲ୍ଲୀ : ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକ ସହ ମିଶି ମା’କୁ ଝିଅ ନିଜ ରାସ୍ତାରୁ ହଟାଇ ଦେଇଛି। କେବଳ ସେତିକି ନୁହେଁ ଉଭୟ ପ୍ରେମିକ ଓ ପ୍ରେମିକା ମା’ର ଶବ ପାଖରେ ୩ ଦିନ କାଳ ରହି ମଉଜ କରୁଥିଲେ। ଏପରି ଘଟଣା ହାଇଦ୍ରାବାଦର ହାୟଥନଗର ବ୍ଲକ ଅନ୍ତର୍ଗତ ମୁନାଗାନୁର ଗାଁରେ ଘଟିଛି।

ଖବର ଅନୁଯାୟୀ ଘଟଣାଟି ଘଟିଥିଲା ଅକ୍ଟୋବର ୧୯ ତାରିଖରେ। ପୋଲିସ୍‌ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ୧୯ ବର୍ଷୀୟ କୀର୍ତ୍ତି ରେଡ୍ଡୀ ଦୁଇଜଣ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଏହାକୁ ୩୯ ବର୍ଷୀୟ ମା’ ରଞ୍ଜିତା ବିରୋଧ କରୁଥିଲେ। ଏଥିପାଇଁ କୀର୍ତ୍ତି ନିଜ ମା’ଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ ମିଶି ଯୋଜନା କରିଥିଲା। କୀର୍ତ୍ତି ଓ ତା’ର ପ୍ରେମିକ ଶଶିର ରଞ୍ଜିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହକୁ ଘରେ ରଖି ୩ ଦିନ ପର୍ଯ୍ୟନ୍ତ ଦୁଇ ଜଣ ଯାକ ସେଠାରେ ରହିଥିଲେ। ହେଲେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ଏହାକୁ ରାମଣାପେଟ୍‌ ନିକଟ ରେଲୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ।

କୀର୍ତ୍ତିର ବାପା ଶ୍ରୀନିବାସ ଜଣେ ଟ୍ରକ୍‌ ଡ୍ରାଇଭର। ସେ ଘରକୁ ଫେରିବା ପରେ ରଞ୍ଜିତାଙ୍କୁ ଖୋଜିଥିଲେ। ହେଲେ କୀର୍ତ୍ତି କହିଥିଲେ ମା’ କେଉଁଆଡ଼େ ଚାଲି ଯାଇଛି। ଏପରି ମିଛ କଥା କହି ସେ ବାପାଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ଶ୍ରୀନିବାସ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍‌ ତଦନ୍ତ କରି କୀର୍ତ୍ତିଙ୍କୁ ଜେରା କରିବା ବେଳେ ବୟାନରେ ତାଳମେଳ ନ ରହିବାରୁ ତା’କୁ ଗିରଫ କରିଥିଲା। ଏବେ ସେ ନିଜର ଦୋଷ ସ୍ୱୀକାର କରିଛି। କୀର୍ତ୍ତି କହିଛି ମା ସବୁବେଳେ ତା’ ଉପରେ କଟକଣା ଲଗାଉଥିଲେ। ଘଟଣାଦିନ ତା’ର ମା’ ବହୁ ପୁଅଙ୍କ ସହିତ ସମ୍ପର୍କ ଥିବା ଖବର ଜାଣିବା ପରେ ଗାଳି କରିବାରୁ ରାଗରେ ମାରିବାକୁ ପ୍ଲାନିଂ କରିଥିଲା। ଅକ୍ଟୋବର ୧୯ ରାତିରେ ରଞ୍ଜିତା ଶୋଇଥିବା ବେଳେ କୀର୍ତ୍ତି ଓ ପ୍ରେମିକ ଶଶିର ଶାଢି ସାହାର୍ଯ୍ୟରେ ଗଳାଚିପି ହତ୍ୟା କରିଥିଲେ। ଅକ୍ଟୋବର ୨୨ ପର୍ଯ୍ୟନ୍ତ ଦୁହେଁ ସେହି ଘରେ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି କହିଛି।

ମତାମତ ଦିଅନ୍ତୁ ।