ପ୍ଲେଷ୍ଟୋରରୁ ବ୍ୟାନ୍ ଚୀନ ଆପ୍ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୀମାକୁ ନେଇ ଚୀନ ଓ ଭାରତ ମଧ୍ୟରେ ବିବାଦ ଚରମରେ ପହଂଚିଛି । ଏହି ସମୟରେ ଭାରତ ସରକାର ଚୀନକୁ ଆର୍ଥିର୍କ କ୍ଷେତ୍ରରେ ଚେକ ଦେବାପାଇଁ ନେଉଛନ୍ତି ଗୋଟିଏ ପରେ ଗୋଟିଏ ପଦକ୍ଷେପ । ଚୀନରୁ ଆମଦାନି ହେଉଥିବା ବିଭିନ୍ନ ସାମଗ୍ରୀକୁ ଯାଂଚ ଆଳରେ ବିଭିନ୍ନ ବନ୍ଦରରେ ଅଟକା ଯାଇଥିବା ବେଳେ ଆମାଦାନୀ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି । ପରବର୍ତୀ ପର୍ଯ୍ୟାୟ ଅର୍ଥାତ ସୋମବାର ଭାରତ ସରକାର ୫୯ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇ କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ୍। ଏପରିକି ଗୁଗଲ ପ୍ଲେ ଷ୍ଟୋରରୁ ବ୍ୟାନ ଆପ ଗୁଡ଼ିକୁ ହଟାଇବା ପାଇଁ କୁହାଯାଇଛି।

ଅନ୍ୟପକ୍ଷରେ ଚୀନ ଆପର ସ୍ଵଚ୍ଛତା ପରଖିବା ପାଇଁ ଭାରତ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଟି ନିକଟରେ ୪୮ ଘଂଟା ମଧ୍ୟରେ ନିଜର ପକ୍ଷରଖିବାକୁ ବ୍ୟାନ୍ ଆପ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟିରେ ଆଇଟି, ଗୃହ ମନ୍ତ୍ରଣାଳୟ, ସୂଚନା ମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟର ଅଧିକାରୀମାନେ ରହିଛନ୍ତି। ଚୀନ ଆପ ବିରୋଧରେ ଆସିଥିବା ଡାଟା ଚୋରି ଅଭିଯୋଗ ସମ୍ପର୍କରେ କମ୍ପାନୀମାନେ କମିଟି ନିକଟରେ ତଥ୍ୟ ରଖିବେ।

ଏହାବ୍ତାତୀତ ସରକାର ଦେଶରେ ଇଂଟରନେଟ ପ୍ରଦାନକାରୀ ସଂସ୍ଥାମାନଙ୍କୁ ଏହି ୫୯ ଆପକୁ ବ୍ଲକ କରିବାକୁ କହିଛନ୍ତି। ସରକାରୀ ସୂତ୍ର ଅନୁସାରେ ଏହା ଅନ୍ତିମ ଲିଷ୍ଟ ନୁହେଁ। ସରକାରଙ୍କ ତରଫରୁ ଅନ୍ୟ କେତେକ ଆପ୍‌କୁ ଏଥିରେ ଯୋଡ଼ାଯିବାରୁ ଯୋଜନା ରହିଛି। ସୂଚନା ଥାଉକି ସୋମବାର ଭାରତ ସରକାର ସୁରକ୍ଷା ଦୃଷ୍ଟିରୁ ଟିକ୍‌ଟକ୍ ସମେତ ୫୯ ଚୀନ ଆପକୁ ବ୍ୟାନ୍ କରିଥିଲେ। ଫଳରେ ରାତି ୧୨ଟା ପରଠାରୁ ଏହିସବୁ ଆପ୍ ଗୁଗଲ ପ୍ଲେଷ୍ଟୋରରୁ ହଟିବା ଆରମ୍ଭ ହୋଇଥିଲା।

ଭାରତ ସରକାରଙ୍କ ୫୯ଟି ଚୀନ ଆପ ନିଷିଦ୍ଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଚୀନ ସରକାର ଏହାକୁ ନେଇ ଚିନ୍ତିତ। ଏବେ ସ୍ଥିତିର ତର୍ଜମା କରୁଛନ୍ତି। ଚୀନ କମ୍ପାନିମାନେ ସବୁବେଳେ ଅନ୍ତର୍ଜାତୀୟ ଆଇନ ଓ ସ୍ଥାନୀୟ ଆଇନକୁ ମାନି କାର୍ଯ୍ୟ କରନ୍ତି। ତେଣୁ ଚୀନ ସମେତ ସବୁ ଅନ୍ତର୍ଜାତୀୟ ନିବେଶକଙ୍କ ଅଧିକାରର ସୁରକ୍ଷା କରିବା ଭାରତ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।