ଫଟୋକୁ ନେଇ ରାଜନୀତି, ରୂପେଶ କେଉଁ ଦଳର ?

ଭୁବନେଶ୍ଵର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରକୁ ପୋଲିସ ଗିରଫ କରିସାରିଲାଣି। କିନ୍ତୁ ବିବାଦ ଥମୁନି। ଏହି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏଥିରୁ ଫାଇଦା ଉଠାଇବାକୁ ଚାଲିଛି ପ୍ରଚେଷ୍ଠା। ହେଲେ ରୂପେଶ ବିଡେଡି ଓ ବିଜେପିର ବରିଷ୍ଠ ନେତାଙ୍କ ସହ ଉଠାଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲିଛି। ଏହାକୁ ଦେଖିବା ପରେ ସାଧାରଣରେ ପ୍ରଶ୍ନ ଉଠିଛି ରୂପେଶ କେଉଁ ଦଳର ?

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ନେତାମାନେ ବିଜେଡିର ଯୁବନେତା ଅରୁଣ ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶ ଉଠାଇଥିବା ଫଟୋକୁ ପ୍ରଦର୍ଶନ କରିଛନ୍ତି। ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁ ଘଟଣାର ମୋଡ ବଦଳାଇବାକୁ ଆଣିଛନ୍ତି ରୂପେଶର ବିଜେଡି ଲିଙ୍କ ଅଭିଯୋଗ।

ଅନ୍ୟପଟେ ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ରୂପେଶ ସହ ରହିଛନ୍ତି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା। ଏହି ଫଟୋ ଦେଖିଲେ ରୂପେଶ ସଜ୍ଜନଙ୍କର ବେଶ ଅନ୍ତରଙ୍ଗ ବୋଲି ମନେ ହେଉଛି। ଫଟୋଟି ଏକ ରେସ୍ତୋରାଁ ଭିତରେ ଉଠାଯାଇଥିବା କୁହାଯାଉଛି। ଯଦି ସ୍ମିତାରାଣୀଙ୍କ ମୃତ୍ୟୁକୁ ରାଜନୀତି ସହିତ ଯୋଡାଯାଏ ତେବେ ଉଭୟ ବିଜେଡି ଓ ବିଜେପି ନେତାଙ୍କ ଲିଙ୍କ କଥା ଉଠିବ। ଏହି ଅଭିଯୋଗକୁ ନେଇ ଚାଲିବ ଆକ୍ଷେପ-ପ୍ରତି ଆକ୍ଷେପ। ଏହା କେବଳ ପାଣି ଗୋଳିଆ କରିବ। ତଦନ୍ତରେ ସହାୟକ ହୋଇପାରିବନି। କାରଣ ପୋଲିସ ଭିନ୍ନ କଥା କହି ସାରିଲାଣି। ତେଣୁ ନେତାମାନେ ଫଟୋ ରାଜନୀତି ନକରି ସ୍ମିତାରାଣୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଜାଣିବାକୁ ଚେଷ୍ଠା କରିବା ଉଚିତ। ଏହା ତଦନ୍ତକୁ ସଠିକ ମାର୍ଗ ଦେଖାଇବା ସହିତ ଦୋଷିକୁ ଦଣ୍ଡିତ କରିବାରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ମତାମତ ଦିଅନ୍ତୁ ।