ବଢିଲା ବିଶ୍ଵବବିଦ୍ୟାଳୟ ଅଧ୍ୟାପକଙ୍କ ଦରମା

ଭୁବନେଶ୍ଵର : ବିଶ୍ଵବବିଦ୍ୟାଳୟ ଅଧ୍ୟାପକଙ୍କ ଦରମା ବଢିଲା। ରାଜ୍ୟ ସରକାର ସପ୍ତମ ବେତନ କମିସନ ସୁପାରିଶ ଲାଗୁ କରିଛନ୍ତି। ବର୍ଦ୍ଧିତ ଦରମା ୨୦୧୬ ମସିହା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଶିକ୍ଷକମାନଙ୍କର ସର୍ବନିମ୍ନ ୨.୫୭ ଗୁଣ ବୃଦ୍ଧି ହୋଇଥିବା ବେଳେ ୧୫ଟି ବିଶ୍ଵବିଦ୍ୟାଳୟର ପାଖାପାଖି ଦୁଇ ହଜାର ଅଧ୍ୟାପକ ଉପକୃତ ହେବେ।

ଉଚ୍ଚଶିକ୍ଷା ବିଭାଗର ଚିଠି ଅନୁଯାୟୀ ଯେଉଁ ଦିନ ଅଧ୍ୟାପକମାନେ ବର୍ଦ୍ଧିତ ଦରମା ପାଇବେ ସେହିଦିନ ସେମାନଙ୍କୁ ବକେୟା ଦରମାର ୪୦ ପ୍ରତିଶତ ଅର୍ଥ ଦିଆଯିବ। ଅବଶିଷ୍ଟ ୬୦ ପ୍ରତିଶତ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ପରେ ପ୍ରଦାନ କରାଯିବ। ଅଧ୍ୟାପକଙ୍କର ଦରମା ପ୍ରଦତ୍ତ ପ୍ରଥମ ସିଡ୍ୟୁଲ ଅନୁଯାୟୀ ହେବ। ବର୍ତ୍ତମାନର ‌ପେ’ ବ୍ୟାଣ୍ଡ ଓ ଗ୍ରେଡ୍‌ ପେ’କୁ ବିଚାରକୁ ନିଆଯାଇ ଦରମା ତତ୍‌ସଂଲଗ୍ନ ସ୍କେଲ ଅନୁଯାୟୀ ନିର୍ଦ୍ଧାରିତ ହେବ। ବର୍ତ୍ତମାନ ଦରମାକୁ ବିଚାରକୁ ନେଇ ନିର୍ଦ୍ଧାରିତ ସ୍କେଲରେ ଉଲ୍ଲେଖିତ ଅର୍ଥକୁ ପରିବର୍ତ୍ତିତ ଦରମା ହିସାବରେ ଧରାଯିବ। ଅଧ୍ୟାପକମାନେ ସେମାନଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବାବଦରେ ଅଣ୍ଡରଟେକିଂ ଦେବେ। ଏହାକୁ ଆଧାର କରି ଇନ୍‌କ୍ରିମେଣ୍ଟ ତାରିଖ ନିରୂପଣ କରାଯିବ।

ବ୍ୟବସ୍ଥା ଅନୁଯାୟୀ କୌଣସି କନିଷ୍ଠ ଅଧ୍ୟାପକ ସେହି ବର୍ଗର ବରିଷ୍ଠ ଅଧ୍ୟାପକଙ୍କଠାରୁ ଅଧିକ ଦରମା ପାଉଥିବା ଦେଖାଗଲେ ଷ୍ଟେପ୍‌ଅପ୍‌ ପଦ୍ଧତି ଜରିଆରେ ସମ୍ପୃକ୍ତ ବରିଷ୍ଠ ଅଧ୍ୟାପକଙ୍କ ଦରମା କନିଷ୍ଠ ଅଧ୍ୟାପକଙ୍କ ସହ ସମାନ କରାଯିବ। ହେଲେ ସମ୍ପୃକ୍ତ ଅଧ୍ୟାପକଙ୍କର ବରିଷ୍ଠତା ବଜାୟ ରହିବ। ୨୦୧୬ ଜାନୁଆରି ପହିଲା ଓ ତା’ପରଠାରୁ କାର୍ଯ୍ୟରେ ଯୋଗଦେଇଥିବା ଅଧ୍ୟାପକମାନେ କୌଣସି କାରଣରୁ ନିର୍ଦ୍ଧାରିତ ଦରମାଠାରୁ ଅଧିକ ଦରମା ପାଇଥିଲେ ତାହା ସେମାନଙ୍କଠାରୁ ଫେରାଇ ଅଣାଯିବ।

ମତାମତ ଦିଅନ୍ତୁ ।