ବାପାଙ୍କ ଆଇପିଏସ୍‌ ସାଙ୍ଗ ଦ୍ୱାରା ଝିଅ ଯୌନଶୋଷଣର ଶିକାର

ମୁମ୍ବାଇ: ଜଣେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ନାବାଳିକାଙ୍କୁ ଯୌନଶୋଷଣ ଅଭିଯୋଗ। ମହାରାଷ୍ଟ୍ରର ନବି ମୁମ୍ବାଇ ପୋଲିସ ଷ୍ଟେସନ୍‌ରେ ଗୁରୁବାର ଏନେଇ ମାମଲା ରୁଜୁ ହୋଇଛି। ଅଭିଯୋଗ କରିଛନ୍ତି ଆଇପିଏସ୍‌ ଅଧିକାରୀଙ୍କ ବନ୍ଧୁଙ୍କ ପରିବାର।

ପୀଡ଼ିତା ପିତା ଦର୍ଶାଇଛନ୍ତି ଯେ ଆଇପିଏସ୍‌ ଅଧିକାରୀ ନିଶିକାନ୍ତ ମୋରେ ମୋର ସାଙ୍ଗ। ଚଳିତବର୍ଷ ଜୁନ୍‌ ୫ ତାରିଖରେ ଝିଅ ରାକ୍ଷୀର ଜନ୍ମ ଦିନ ଥିବାରୁ ମୁଁ ଭୋଜିକୁ ତାଙ୍କୁ ନିମନ୍ତ୍ରଣ କରିଥିଲି। ସେ କଥା ରଖି ଭୋଜିରେ ପହଞ୍ଚିଥିଲେ। କିନ୍ତୁ ଯେତେବଳେ ଝିଅ ରାକ୍ଷୀ କେକ କାଟିଥିଲା, ସେହି କେକକୁ ତା’ର ସାଙ୍ଗମାନେ ତା’ ମୁହଁରେ ଲଗାଉଥିଲେ। ଏତିକି ବେଳେ ନିଶିକାନ୍ତ ମୋ ଝିଅ ଗାଲରେ କେକ ଲଗାଇ ତାକୁ ଜିଭରେ ଚାଟିବାକୁ ଲାଗିଥିଲେ। ଏହା ଦେଖିବାକୁ ଅସ୍ୱଭାବିକ ଲାଗିଥିଲେ ହେଁ କେହି ଏଥିପ୍ରତି କେହି ଗୁରୁତ୍ୱ ଦେଇନଥିଲେ। କିନ୍ତୁ ସେ ଝିଅ ସହିତ ଏଭଳି କାମ କରିବେ କାହାକୁ ବି ଜଣା ନଥିଲା। ଝିଅ ସହିତ କରିଥିବା ଖରାପ ବ୍ୟବହାର ମୋବାଇଲରେ କୈଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ମୁଁ ଯେତେବେଳେ ମୋରେଙ୍କୁ ଏହି ବିଷୟରେ ପଚାରିଥିଲି ସେ ଏପରି କରି ନାହାନ୍ତି ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ସେଥିପାଇଁ ଥାନାରେ ଅଭିଯୋଗ କରିବାକୁ ବାଧ୍ୟହେଲୁ।

ପୀଡ଼ିତା ପରିବାରର ଅଭିଯୋଗ କ୍ରମେ ଡିଆଇଜି ନିଶିକାନ୍ତ ମୋରେଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ଧାରା ୩୫୪ଏ, ୫୦୬ରେ ଯୌନ ନିର୍ଯାତନା ଓ ପୋକସୋ ଆକ୍ଟ ଆଧାରରେ ପୋଲିସ ମାମଲା ରୁଜୁ କରିଛି। କିନ୍ତୁ ଆଇପିଏସ୍‌ ନିଶିକାନ୍ତ ମୋରେଙ୍କୁ ଗିରଫ କରାଯାଇ ନାହିଁ।

ମତାମତ ଦିଅନ୍ତୁ ।