ବାହୁଡା ଯାତ୍ରା ଶୃଙ୍ଖଳିତ ହେବ : କ୍ରିଷନ କୁମାର

ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିନା ଭକ୍ତରେ ରଥ ଟଣାଯିବ। ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୂରା ସଟଡାଉନ୍ ରହିବ ପୁରୀ। ସେହିପରି ବାହୁଡା଼ ଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି। ଖରାର ପ୍ରକୋପରୁ ବଡଦାଣ୍ଡକୁ ଥଣ୍ଡା ରଖିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସିଞ୍ଚନ ହେବ। ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି।

ସେହିପରି ସବୁ ସେବାୟତମାନଙ୍କର କୋଭିଡ ଟେଷ୍ଟ ଶେଷ ହୋଇଛି। ସବୁ ସେବାୟତଙ୍କ ନମୁନା ନେଗେଟିଭ ଆସିଛି। ବଡଦାଣ୍ଡରେ ଭଜନ ଗାନର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ବଡଦାଣ୍ଡରେ ସବୁଠି ଭଜନ ବାଜିବ। ଶ୍ରୀଗୁଣ୍ଡିଚା ମନ୍ଦିର, ରଥ ଓ ଶ୍ରୀମନ୍ଦିରକୁ ଫୁଲ ଦ୍ଵାରା ସୁସଜ୍ଜିତ କରାଯିବ। ଏପର୍ଯ୍ୟନ୍ତ ସମସ୍ତ ନୀତି ସୁରୁଖୁରୁରେ ଚାଲିଛି। ସେବାୟତମାନେ ଏ ଗୁରୁଦାୟିତ୍ୱକୁ ଭଲ ଭାବରେ ତୁଲାଇଛନ୍ତି। ବାହୁଡା଼ ଯାତ୍ରାକୁ ଶୃଙ୍ଖଳିତ ଭାବେ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ସେପଟେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ ନୀତି ଶେଷ ହୋଇଛି। କରୋନା କଟକଣା ଯୋଗୁ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିନାହିଁ। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିନ୍ତୁ ସୂଚାରୁ ରୂପେ ସମ୍ପନ୍ନ ହୋଇଛି। ସେବାୟତ ଓ ପୋଲିସ ବ୍ୟତୀତ ବଡ଼ଦାଣ୍ଡକୁ ଆଉ କେହି ଆସିବେ ନାହିଁ। ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

୭୦ ପ୍ଲାଟୁନ୍ ଫୋର୍ସ ସହିତ ୪୦୦ରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ଵରେ ଅଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ। କେବଳ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତମାନଙ୍କୁ ନିୟୋଜିତ କରିବାକୁ ସ୍ଥିର ହୋଇଛି। ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ।

ମତାମତ ଦିଅନ୍ତୁ ।