ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ଦଳପତି ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଥମ ସଦସ୍ୟ ଭାବେ ଯୋଗଦେଇ ଦଳପତି ନବୀନ କହିଛନ୍ତି ଯେ ଓଡିଶାର ପ୍ରତି ଗାଁ ଓ ପ୍ରତି ଘରୁ ବିଜେଡିକୁ ଆଶୀର୍ବାଦ ମିଳିଛି। ତେଣୁ ସଦସ୍ୟ ଗ୍ରହଣ ପାଇଁ ଗାଁ ଗାଁ ଯିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି। ଏହି ଅଭିଯାନରେ ମହିଳା, ସାଧାରଣ ଲୋକ ଓ କୃଷକଙ୍କୁ ଭେଟିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କୁ ନେଇ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ତାଙ୍କ ନେତୃତ୍ୱରେ କମିଟି ସଭ୍ୟ ସଂଗ୍ରହ ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରକୁ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳସହ ଯୋଡ଼ିବା ପାଇଁ ରହିଛି ଲକ୍ଷ୍ୟ।

ସେହିପରି ଚଳିତ ଥର ଅଫ୍ ଲାଇନ୍ ସହ ଅନ୍‌ଲାଇନ୍‌ରେ ବି ସଭ୍ୟ ସଂଗ୍ରହ କରାଯିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଥିବା ବେଳେ ପ୍ରତି ଓ୍ୱାର୍ଡରୁ ୪, ଏନ୍‌ଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ ମହା ନଗର ନିଗମରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ। ନିଜକୁ ମିଶାଇ ପ୍ରତ୍ୟେକ ସକ୍ରିୟ ସଦସ୍ୟ ୨୫ ଜଣ ସଦସ୍ୟ ସଂଗ୍ରହ କରିବେ। 

ମତାମତ ଦିଅନ୍ତୁ ।