ବିଜେପି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଛି : ମମତା

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ସିଏଏ, ଏନଆରସି ଓ ଏନପିଆର ଲାଗୁ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭୟର ବାତାବରଣ ସୃଷ୍ଟି କରୁଛି। ଏହି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଆଜି ମମତା ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ କୋଲକାତାର ରାଜାବଜାର ଠାରୁ ମୁଲ୍ଲିକ ବଜାର ଯାଏ ଏକ ବିଶାଳ ପଦଯାତ୍ରା କରି ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସେମାନେ ମିଛ କହି କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। ମୁଁ ନିଜେ ମୋ ମା’ଙ୍କ ଜନ୍ମ ସ୍ଥାନ ଓ ଜନ୍ମ ତାରିଖ ମନେ ରଖିନାହିଁ। ଯଦି ମୁଁ ଏକଥା କହିପାରିବି ନାହିଁ, ତା’ହେଲେ ଆପଣମାନେ ସମସ୍ତେ କେମିତି ଏହାର ତଥ୍ୟ ଦେବେ ବୋଲି କହିଛନ୍ତି।

ସେ କହିଛନ୍ତି ଏହି ରାଲି ସହ ଲୋକମାନେ ଜଡ଼ିତ ଅଛନ୍ତି। ଆନ୍ଦୋଳନ ଯେତେଥର ହେଉଛି, ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁଁ ଆନ୍ଦୋଳନକାରୀଙ୍କ ଭାଷା ବୁଝି ପାରୁଛି। କାରଣ ମୁଁ ଛାତ୍ରୀ ଥିବାବେଳେ ସର୍ବଦା ନିଜର ହକ ପାଇଁ କଲେଜ ଗେଟ ଓ ରାସ୍ତାରେ ଆନ୍ଦୋଳନ କରୁଥିଲି। ଆମେ ଘୃଣା ନୁହେଁ ଭଲ ପାଇବାର ରାଜନୀତି କରୁଛୁ। ଆମେମାନେ ଏକାଠି ଆନ୍ଦୋଳନ କରୁଛୁ। ଏହା ଲୋକଙ୍କ ପାଇଁ ଲଢ଼େଇ। ଲୋକମାନେ ଅଧିକାରରୁ ବଞ୍ଚିତ ହେଲେ ଆମେ ଲଢ଼େଇ କରିବୁ।

ମତାମତ ଦିଅନ୍ତୁ ।