ବିଜେପୁର ନିର୍ବାଚନ: ନେତାଙ୍କୁ ବ୍ଲକ ଓ ଏନଏଏସି ଦାୟିତ୍ୱ

ଭୁବନେଶ୍ୱର : ବିଜେପୁରରୁ ବିଜେଡି ପ୍ରାର୍ଥୀ ହେବେ ପୂର୍ବତନ ବିଧାୟିକା ରୀତା ସାହୁ। ଏହା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ ଆସନ୍ତା ୩୦ ତାରିଖରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ରୀତାଙ୍କ ବିଜୟ ପାଇଁ ଦଳର ୧୪ ଜଣ ନେତାଙ୍କୁ ଦାୟିତ୍ଵ ମିଳିଛି। ଏହି ନେତାମାନେ ବିଜେପୁରର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ନିର୍ବାଚନ ପ୍ରକ୍ରିୟାର ତଦାରଖ କରିବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

ସେହିପରି ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ମୋଟ୍ ୬୫ଟି ପଞ୍ଚାୟତ ଓ ୨ଟି ଏନଏଏସି ଦାୟିତ୍ୱରେ ବିଜେଡି ପ୍ରାୟ ୭୦ରୁ ୮୦ଜଣ ଦଳୀୟ ବିଧାୟକ ଓ ସାଂସଦଙ୍କୁ ଦାୟିତ୍ୱ ଦିଆଯିବ। ଆଜି ନିବାସରେ ଅନୁଷ୍ଠିତ ବୈଠକରେ କିଏ କେଉଁ ଦାୟିତ୍ୱରେ ରହିବେ ତାହାର ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି। କୁହାଯାଉଛି ବିଜେପୁର ବ୍ଲକ ଦାୟିତ୍ୱରେ ରହିବେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ କିଶୋର ମହାନ୍ତି। ବରପାଲି ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ। ଗାଇସିଲେଟ୍ ବ୍ଲକ ଦାୟିତ୍ୱ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ ଓ କଳିକେଶ ସିଂହଦେଓଙ୍କୁ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ବରପାଲି ଏନଏଏସି ଦାୟିତ୍ୱ ରହିବ ଅତନୁ ସବ୍ୟସାଚୀ ନାୟକ ଓ ଦେବେଶ ଆଚାର୍ଯ୍ୟଙ୍କ ଉପରେ। ବିଜେପୁର ଏନଏନଏସି ପାଇଁ ପୁଷ୍ପେନ୍ଦ୍ର ସିଂହଦେଓ ଓ ରୋହିତ ପୂଜାରୀ ହେବେ ସଂଯୋଜକ। ଏମାନଙ୍କ ବ୍ୟତୀତ ଅନ୍ୟ ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ଆସନ୍ତା ସପ୍ତାହରେ ପଞ୍ଚାୟତ ଓ ୱାର୍ଡ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।