ବିଡିଏ ଅଫିସ୍‌ ସିଲ୍‌

ଭୁବନେଶ୍ବର: ବିଡିଏ କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମ୍‌ସି ପକ୍ଷରୁ ବିଡିଏ ଅଫିସକୁ ସିଲ୍‌ କରାଯାଇଛି। ମଙ୍ଗଳବାର ସଂଧ୍ୟାରେ ବିଡିଏ ଅଫିସ୍‌ ସିଲ୍‌ ହୋଇଥିବା ବେଳେ ଆସନ୍ତା ସୋମବାର ଅଫିସ୍‌ ଖୋଲିବ ବୋଲି ଜଣାପଡ଼ିଛି। ବିଡିଏରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ପ୍ରତିଷେଧମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ବିଡିଏ ଅଫିସ୍‌ ବୁଧବାର, ଗୁରୁବାର ଓ ଶୁକ୍ରବାର ସଂପୂର୍ଣ୍ଣ ବନ୍ଦ ରହିବ। କୌଣସି କର୍ମଚାରୀ ଅଫିସ୍‌ ଆସିବେନି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଅଫିସ୍‌ ସଂପୂର୍ଣ୍ଣ ବନ୍ଦ ରହିବ। ତେଣୁ ସୋମବାର ଅଫିସ୍‌ ଖୋଲିବ। ଏହି ସମୟ ମଧ୍ୟରେ ସଂପୂର୍ଣ୍ଣ ବିଡିଏ ଅଫିସକୁ ବିଶୋଧନ କରାଯିବ। 

ବିଡିଏର ଚତୁର୍ଥ ମହଲାରେ ଥିବା ଇଞ୍ଜିନିୟରିଂ ବିଭାଗର ଜଣେ କିରାଣୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ‌ସେ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଆଡ଼େ ଯାଇଛନ୍ତି ତାହା ଖୋଜା ଚାଲିଛି। ଏହାସହ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ବୁଧବାର ସମସ୍ତଙ୍କ ଘରେ ସଙ୍ଗରୋଧ ଷ୍ଟିକର୍‌ ଲାଗିବ। ବିଡିଏର ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ ଶୁକ୍ରବାର କରୋନା ଆକ୍ରାନ୍ତ ହେବା ପରେ ବିଡିଏର ପ୍ଲାନିଂ, ଏଷ୍ଟାବ୍ଲିସମେଣ୍ଟ, ଆଲଟମେଣ୍ଟ ବିଭାଗର କର୍ମଚାରୀଙ୍କୁ ୧୪ଦିନ ପାଇଁ ସଙ୍ଗରୋଧରେ ପଠାଯାଇଛି। ଗୁରୁବାର ସେମାନେ ଅଫିସ ଆସିବା ନଆସିବା ନେଇ ନିଷ୍ପତ୍ତି ହୋଇଥାନ୍ତା।

କିନ୍ତୁ ଏବେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ଅଫିସ ଆସିବା ନେଇ ନିଷ୍ପତ୍ତି ହେବ। ୫ଦିନ‌ ଭିତରେ ବିଡିଏରେ ଦୁଇ ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ବିଡିଏର ସମସ୍ତ କର୍ମଚାରୀ ଛାନିଆ ହୋଇଯାଇଛନ୍ତି। ଏଠାରେ ପ୍ରାୟ ୩୦୦ରୁ ଅଧିକ କର୍ମଚାରୀ କାମ କରୁଥିବାବେଳେ ସମସ୍ତେ ଅଫିସ ଆସିବାକୁ ଡରୁଛନ୍ତି।

ମତାମତ ଦିଅନ୍ତୁ ।