ବିଦେଶୀ ପୁରୁଷ ଓ ମହିଳାଙ୍କୁ ହୋଟେଲ୍‌ ରୁମ୍‌ ସେୟାର୍‌ ପାଇଁ ଅନୁମତି ଦେଲା ସାଉଦିଆରବ

ନୂଆଦିଲ୍ଲୀ : ମୁସଲମାନ ରାଜ୍ୟ ସାଉଦି ଆରବରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଣୟନ ନୂଆ ଭିସା ନୀତି। ଏବେ ବିଦେଶୀ ପୁରୁଷ ଓ ନାରୀମାନଙ୍କୁ ହୋଟେଲ ରୁମ୍‌ ସେୟାର୍‌ କରିବାକୁ ମିଳିଛି ଅନୁମତି। ପୁରୁଷ ଓ ନାରୀମାନେ ସମ୍ପର୍କୀୟ ସଂକ୍ରାନ୍ତ କୌଣସି ପ୍ରମାଣପତ୍ର ଦାଖଲର ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦୀ ମହିଳାଙ୍କ ସମେତ ଯେ କୌଣସି ମହିଳା ନିଜେ ହୋଟେଲ ରୁମ୍‌ ଭଡ଼ା ନେଇ ପାରିବେ। ପୂର୍ବରୁ ଏଥିପାଇଁ ରହିଥିବା ନୀତି ନିୟମକୁ ଉଠାଇ ଦିଆଯାଇଛି। ସାଉଦି ପର୍ଯ୍ୟଟନ ଓ ଜାତୀୟ ଐତିହ୍ୟର କମିସନ୍‌ କହିଛନ୍ତି ଏଣିକି କୌଣସି ଚେକ୍‌-ଇନ୍‌ ବା ପରିବାର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ନାହିଁ।

ଗତ ସପ୍ତାହରେ ସାଉଦି ଆରବ ବିଶ୍ୱର ୪୯ଟି ଦେଶର ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବ ବୋଲି ଘୋଷଣା କରିଥିଲା। ତୈଳ ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ନିଜର ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ସାଉଦି ଆରବ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା କଥା କୁହାଯାଇଥିଲା। ମହିଳାମାନେ କଳା ବୁର୍ଖାରେ ସମ୍ପୂର୍ଣ୍ଣ ଆବୃତ ହୋଇ ଆସିବା ନିିୟମକୁ ମଧ୍ୟ ଉଠାଇ ଦିଆଯାଇଛି। କିନ୍ତୁ, ସେମାନେ ଭଦ୍ର ପୋଷାକ ପରିଧାନ କରିବେ ବୋଲି ନିର୍ଦେଶ ରହିଛି। ମଦ ପୂର୍ବପରି ନିଷେଧ କରାଯାଇଛି। ୨୦୩୦ ସୁଦ୍ଧା ସାଉଦି ଆରବକୁ ବାର୍ଷିକ ୧୦୦ ନିୟୁତ ପର୍ଯ୍ୟଟକ ଆସିବେ ବୋଲି କର୍ତ୍ତୃପକ୍ଷମାନେ ଲକ୍ଷ୍ୟ ରଖିଛନ୍ତି।

ମତାମତ ଦିଅନ୍ତୁ ।