ବିବାହର ୪ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ ଗଲା

ଗାଜିଆବାଦ: ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ । ୪ବର୍ଷର ପ୍ରେମ ପରେ ଉଭୟ ପରିବାରଙ୍କ ସହମତିରେ ୪ଦିନ ତଳେ ହୋଇଥିଲା ବିବାହ । ବିବାହ ପରେ ଶାଶୁ ଘରକୁ ଯାଇ ସମସ୍ତଙ୍କ ସହ ମିଶି ଚଳିବା ପ୍ରତ୍ୟେକ ଝିଅର ସ୍ୱପ୍ନ ହୋଇଥାଏ । ସେ ମଧ୍ୟ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଶାଶୁ ଘରର ଶୁଖ ଭୋଗ କରିବା ତାଙ୍କ ଭାଗ୍ୟରେ ନ ଥିଲା । ବିବାହର ମାତ୍ର ୪ ଦିନ ପରେ ସ୍ୱାମୀଙ୍କ ଆସ୍ମିକ ମୃତ୍ୟୁକୁ ଗ୍ରହଣ କରି ନ ପାରି ସେ ମଧ୍ୟ ଜୀବନକୁ ଶେଷ କରିଦେଇଥିଲେ । ଏହିପରି ଭାବେ ଅବେଳରେ ଲିଭି ଯାଇଛି ଦୁଇଟି ଜୀବନ ଦୀପ ।
ଦିଲ୍ଲୀକୁ ଲାଗିଥିବା ଉତରପ୍ରଦେଶର ଗାଜିଆବାଦରୁ ଆସିଛି ଏପରି ହୃଦୟ ବିଦାରକ ଘଟଣା । ପ୍ରେମ ବିବାହର ୪ଦିନ ପରେ ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିବାବେଳେ ଏହାର ଗୋଟିଏ ଦିନ ପରେ ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ୪ବର୍ଷର ପ୍ରେମ ପରେ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଘଟଣା କବିନଗର ଥାନା ଗୋବିନ୍ଦପୁରମ୍ ଅଂଚଳର । ମୃତକ ସ୍ୱାମୀ ଓ ସ୍ତ୍ରୀ ହେଲେ ବିଶାଲ ଏବଂ ନିଶା । ବିଶାଲ ସେହି ଅଂଚଳରେ ଏକ କମର୍ସ କୋଚିଂ କ୍ଲାସ ଚଲାଉଥିବାବେଳେ ନିଶା ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଏଚ୍‌ଆର ମ୍ୟାନେଜର ଥିଲେ ।
ବିବାହ ସରିବା ପରଦିନ ବିଶାଲ କାହାକୁ କିଛି ନ ଜଣାଇ ଘରୁ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କ ଫୋନକୁ ବାରମ୍ବାର ବାରମ୍ବାର କଲ୍ କରୁଥିଲେ ବି ସେ ଫୋନ ଧରୁ ନ ଥିଲେ । ମାତ୍ର ବିଶାଲ ଘରେ ଫୋନ୍ ଛାଡ଼ିଯାଇଥିବା ପରେ ଜଣାପଡ଼ିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ୍ ପରିବାରକୁ ତାଙ୍କ ଫଟୋ ମାଗିଥିଲା ଓ କିଛି ସମୟ ପରେ ଏକ ମୃତଦେହକୁ ଚିହ୍ନିବାକୁ ଡାକିଥିଲା । ବିଶାଲଙ୍କ ମୃତ୍ୟୁ ଖବର ପରିବାର ଲୋକେ ଯେବେ ନିଶାଙ୍କୁ ଜଣାଇଲେ ସେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲେ । ବିଶାଲଙ୍କ ଅନ୍ତିମ ସଂସ୍କାର ପରେ ବାପଘର ଲୋକେ ନିଶାଙ୍କୁ ନେଇଯାଇଥିଲେ । ସେମାନେ ନିଶାଙ୍କ ପାଖରୁ ବିଶାଲଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ନିଶା କିଛି କହି ନ କହି ଚୁପଚାପ ରହିଥିଲେ । ପରେ ବିଳମ୍ବିତ ରାତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୂଚନା ପାଇ ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କରିଥିଲା । ତେବେ ହଠାତ୍ କାହିଁକି ଦୁହେଁ ଆତ୍ମହତ୍ୟା କଲେ ସେନେଇ ସସ୍‌ପେନ୍ସ ଏବେବି ଜାରି ରହିଛି । ପୋଲିସ୍ ଘଟଣାର ତଦନ୍ତ କରୁଥିବାବେଳେ ଦୁଇ ପରିବାରର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ।

ମତାମତ ଦିଅନ୍ତୁ ।