ବିବାହ ନ କରିବାରୁ ଯୁବତୀଙ୍କୁ ହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲାରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଦିନ ଦ୍ୱିପହରେ କାମ ଚାଲିଥିବାବେଳେ ହଠାତ୍ ଜଣେ ଯୁବକ ଏକ ଛୁରୀ ଧରି ଭିତରକୁ ପ୍ରବେଶ କଲା । କେହି କିଛି ଭାବିବା ପୂର୍ବରୁ ଯୁବକ ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କୁ ବାରମ୍ବାର ଆକ୍ରମଣ କରିବାରରେ ଲାଗିଥିଲା । ଏହା ଦେଖି ଅନ୍ୟ କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଆକ୍ରମଣରେ ଯୁବତୀ ଜଣଙ୍କ ଗୁରୁତର ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ମୃତ ବୋଲି ଭାବି ଯୁବକ ଜଣଙ୍କ ସେଠାରୁ ପଳାଇଥିଲା । ସହକର୍ମୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ଆକ୍ରମଣକାରୀ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।
ମଣ୍ଡଲା ଜିଲ୍ଳା ପଂଚାୟତ କାର୍ଯ୍ୟାଳୟରେ ୨୦ ବର୍ଷୀୟ ଯୁବତୀ ଅସ୍ଥାୟୀ ଭାବେ ଜେରକ୍ସ ମେସିନ ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ସୋମବାର ସକାଳୁ ଅଫିସ ଖୋଲିବା ପରେ ଅନ୍ୟମାନଙ୍କ ସହ ଯୁବତୀ ସେଠାରେ ପହଂଚିବା ପରେ ଏପରି ଘଟଣା ଘଟିଥିଲା । ପରେ ପୋଲିସ ଯୁବକକୁ ଗିରଫ କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା । ପୋଲିସ ପଚରାଉଚରାରେ ଜଣାପଡ଼ିଥିଲା ଆକ୍ରମଣକାରୀ ଯୁବକ ଜଣଙ୍କ ଗତ ୪ବର୍ଷ ହେବ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯୁବତୀ ଏବଂ ତାଙ୍କ ଭଉଣୀ ଏହାକୁ ଏଡ଼ାଇ ଚାଲିଥିଲେ । ଫଳରେ ଧୈର୍ଯ୍ୟହରା ହୋଇ ଶେଷରେ ଯୁବକ ଏପରି କରିଥିଲେ ।
ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳ, ଏସ୍‌ପି ଓ ସିଇଓ ସେଠାରେ ପହଂଚି ଥିଲେ । ପରେ ହସ୍ପିଟାଳ ଯାଇ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ମଣ୍ଡଲା ପୁଲିସ ଅଧୀକ୍ଷକ ଦୀପକ କୁମାର ଶୁକ୍ଲା କୁହନ୍ତି ଅଭିଯୁକ୍ତ ଯୁବକ ଗିରଫ ହୋଇଥିବାବେଳେ ତା ପାଖରୁ ହତ୍ୟା ପାଇଁ ବ୍ୟବହୃତ ଛୁରୀ ଜବତ ହୋଇଛି । ତେବେ ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ୱେ ଯୁବତୀଙ୍କୁ ବଂଚାଯାଇପାରିନାହିଁ ।

ମତାମତ ଦିଅନ୍ତୁ ।