ବିରାଟ୍‌ କୋହଲି ଜଣେ ଅଭଦ୍ର ଖେଳାଳି : ନସିରୁଦ୍ଦିନ

ନୂଆଦିଲ୍ଲୀ : ଗୋଟିଏ ପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବାକୁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ତାଙ୍କୁ ଦେଶ ମଧ୍ୟରୁ ବିରୋଧ ଆରମ୍ଭ ହୋଇଛି । ବଲିଉଡ୍‌ ଇଣ୍ଡଷ୍ଟ୍ରୀର ପୁରୁଖା ଅଭିନେତା ନସିରୁଦ୍ଦିନ ଶାହ ଅଧିନାୟକ ବିରାଟ୍‌ଙ୍କୁ ବିଶ୍ୱର ସବୁଠାରୁ ଅଭଦ୍ର ଖେଳାଳି ବୋଲି କହିବାକୁ ପଛାଇନାହାନ୍ତି । ଏଥିସହ ବିରାଟ୍‌ ନିକଟରେ ଜଣେ ଫ୍ୟାନ୍‌କୁ ଦେଶ ଛାଡ଼ି ଚାଲିଯିବାକୁ କହିଥିବାରୁ ପରୋକ୍ଷରେ ସେକଥା ନେଇ ମଧ୍ୟ ନସିରୁଦ୍ଦିନ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ଏକ ଟ୍ୱିଟ୍‌ କରି ନସିରୁଦ୍ଦିନ କହିଛନ୍ତି, “ ବିରାଟ କେବଳ ବିଶ୍ୱର ଏକ ନମ୍ବର ବ୍ୟାଟସ୍‌ମ୍ୟାନ୍‌ ନୁହନ୍ତି। ସେ ବିଶ୍ୱର ସବୁଠାରୁ ବଡ଼ ଅଭଦ୍ର ଖେଳାଳି। ତାଙ୍କର ଅହଂକାର ଏବଂ ଅଭଦ୍ର ବ୍ୟବହାର ଆଗରେ ତାଙ୍କର କ୍ରିକେଟିଂ ଦକ୍ଷତା ଫିକା ପଡ଼ି ଯାଉଛି। କିନ୍ତୁ ଏଭଳି ସ୍ଥିତିରେ ମୁଁ କେବେ ହେଲେ ଦେଶ ଛାଡ଼ିକି ଯିବିନାହିଁ।”

ଜଣେ ଫ୍ୟାନ୍‌ ଲାଇଭ ଚ୍ୟାଟରେ କହିଥିଲେ ଯେ ତାଙ୍କୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ଙ୍କ ବ୍ୟାଟିଂ ଭଲ ଲାଗେନାହିଁ। ବରଂ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କ ବ୍ୟାଟିଂରେ ସର୍ବଦା ନୂତନତ୍ୱ ଦେଖିବାକୁ ମିଳେ। ଏଥିରେ ବିରାଟ୍‌ ରାଗି ଯାଇ ସେହି ଫ୍ୟାନ୍‌ଙ୍କୁ ଭାରତ ଛାଡ଼ି ଯିବାକୁ ପରାମର୍ଶ ଦେଇଥିଲେ। ଏକଥାକୁ କେନ୍ଦ୍ର କରି ନସିରୁଦ୍ଦିନ ଶାହା ଟ୍ୱିଟର୍‌ରେ ଦେଶ ଛାଡ଼ିବା କଥା ଉଠାଇଛନ୍ତି। ତେବେ ନସିରଙ୍କ ଏଭଳି ମନ୍ତବ୍ୟକୁ ଅନେକ ବିରାଟ ପ୍ରେମୀ ନାପସନ୍ଦ କରିଛନ୍ତି।

ମତାମତ ଦିଅନ୍ତୁ ।