ବିଶ୍ୱର ଆତଙ୍କ ଅଲ-ବାଗଦାଦି ନିହତ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଇସଲାମିକ ଷ୍ଟେଟ (ଆଇଏସ)ର ମୁଖ୍ୟ ଅବୁ ବକର ଅଲ-ବାଗଦାଦିର ବିସ୍ଫୋରଣରେ ମୃତ୍ୟୁ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି କହିଥିଲେ, କିଛି ଗୋଟେ ବଡ଼ ଘଟଣା ଘଟିଛି। ଟ୍ରମ୍ପଙ୍କ ଏହି ଟୁଇଟ୍ ବାଗଦାଦି ନିହତ ହୋଇଥିବା ଚର୍ଚ୍ଚା ହେଉଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ଆମେରିକା ସେନା ସିରିୟାର ଇବିବରେ ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ମରିଛି। ନିକଟରେ ବାଗଦାଦିକୁ ହତ୍ୟା କରିବା ପାଇଁ ଏକ ଗୁପ୍ତ ଅପରେସନକୁ ରାଷ୍ଟ୍ରପତି ଟ୍ରମ୍ପ ଅନୁମତି ଦେଇଥିଲେ। ତେବେ ବାଗଦାଦି ମୃତ୍ୟୁ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି। ବାଗଦାଦି ସହିତ ତାର ତିନୋଟି ପିଲା ଓ ଅନେକ ସହଯୋଗୀ ମଧ୍ୟ ପ୍ରାଣ ହରାଇଛନ୍ତି। ବାଗଦାଦି ଏକ ସୁଡ଼ଙ୍ଗରେ ଲୁଚି ରହିଥିଲା। ଆମେରିକା ସେନା ଚାରିଆଡୁ ଘେରି ଯିବାରୁ ସେ ପିଲାମାନଙ୍କ ସହିତ ନିଜକୁ ଆତ୍ମଘାତୀ ଜ୍ୟାକେଟରେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ସେ ଥିଲା କାପୁରୁଷ। କୁକୁର ପରି ମରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଆତଙ୍କୀ ମୁଖ୍ୟ ବାଗଦାଦି ସଂପର୍କରେ ଜାଣିଥିଲେ ବିଶ୍ୱବାସୀ। ୨୦୧୪ ରେ ଏକ ଭିଡିଓ ବାର୍ତ୍ତା ଦେଇ ସାରା ଦୁନିଆରେ ଆତଙ୍କ ଖେଳାଇ ଦେଇଥିଲା ମୃତ୍ୟୁର ଏହି ସୌଦାଗର। ସାରା ଦୁନିଆକୁ ଧ୍ୱଂସ ସ୍ତୁପରେ ପରିଣତ କରିବାକୁ ଦେଇଥିଲା ଧମକ। ବାଗଦାଦିର ଆଇଏସଆଇଏସ ଗରିଲା ସେନା, ସିରିୟା ଓ ଇରାକର ଅନେକ ଅଂଚଳକୁ କବ୍ଜା କରି ନେଇଥିଲେ।

ଏହାପରେ ବିଶ୍ୱର ଏହି ଆତଙ୍କୀ ବାଗଦାଦି ରହିଲା ଆମେରିକା ଟାର୍ଗେଟରେ। ତା’ ମୁଣ୍ଡ ପାଇଁ ୧୭୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଆମେରିକା। ଗତବର୍ଷ ଆମେରିକାର ରକେଟ୍ ମାଡ଼ରେ ବାଗଦାଦିର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇବା ପରେ ବାଗଦାଦି ଜାରି କରିଥିଲା ଭିଡିଓ ବାର୍ତ୍ତା। କିନ୍ତୁ ଏଥର ବାଗଦାଦିର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

ମତାମତ ଦିଅନ୍ତୁ ।