ବିଷ୍ଣୁ ଦାସଙ୍କ ପରଲୋକ

ଭୁବନେଶ୍ଵର: ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଗତ ଜୁନ୍ ୨୨ ତାରିଖ ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବା ସହ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ବିଷ୍ଣୁ ଦାସ ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ଚେହେରା। ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ଓ ତିର୍ତ୍ତୋଲରୁ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଗଣଶିକ୍ଷା ମନ୍ତ୍ରୀ ଭଳି ଅନେକ ଉଚ୍ଚ ପଦପଦବୀରେ ରହିଥିଲେ । ୨୦୧୯ ମସିହାରେ ଶେଷ ଥର ଲାଗି ତିର୍ତ୍ତୋଲରୁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ତାଙ୍କ ବିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ରଘୁନନ୍ଦନ ଦାସ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି। ଏହାଛଡା କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ଦଳର ନେତା ଓ ବହୁ ପ୍ରମୁଖ ବ୍ୟକ୍ତିମାନେ ତାଙ୍କ ବିଯୋଗରେ ଶୋକ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।