ବିହାର: ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ!

ନୂଆଦିଲ୍ଲୀ : ବିହାରର ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ। ଲୋକେ ଏପରି କହୁଥିବା ବେଳେ ପୋଲିସ ଆଜି ତାଙ୍କ ଘରେ ପହଞ୍ଚିବା ବେଳକୁ ସେ ଫେରାର୍ ହୋଇଛନ୍ତି।

ଶୁକ୍ରବାର ଅନନ୍ତ ସିଂହଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଜବତ ହୋଇଥିଲା ଏକେ-୪୭ ରାଇଫଲ ଓ ହେଡ ଗ୍ରେନେଡ। ତେଣୁ ୟୁଏପିଏ ଆଇନ ଅନୁଯାୟୀ ତାଙ୍କୁ ସରକାର ଆତଙ୍କବାଦୀ ଘୋଷଣା କରିପାରନ୍ତି। ଏହି ଘଟଣାରେ ଅନନ୍ତ ସିଂହ ଓ କେୟାରଟେକର ସୁନିଲ ରାମଙ୍କ ବିରୋଧରେ ବାଢ଼ ଥାନାରେ ମାମଲା ରୁଜୁ ହୋଇଛି। ସୁନିଲକୁ ପୋଲିସ ଗିରଫ କରିଥିବା ବେଳେ ସିଂହଙ୍କ ଗିରଫ ପାଇଁ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ୱାରେଣ୍ଟ ଜାରି ପରେ ତାଙ୍କୁ ଗିରଫ କରାଯିବ। ଅନ୍ୟପକ୍ଷରେ ଅନନ୍ତଙ୍କ ଘରୁ ଜବତ ହୋଇଥିବା ହ୍ୟାଣ୍ଡ ଗ୍ରେନେଡକୁ ଏସିଏସ ନିଷ୍କ୍ରିୟ କରିଦେଇଛି।

ସୂଚନାଯୋଗ୍ୟ ୟୁଏପିଏ ଆଇନ ୧୯୬୭ରେ ଗୃହୀତ ହୋଇଥିଲା। ଏହି ଆଇନ ଅନୁଯାୟୀ ଯଦି କୌଣସି ସଂଗଠନ ଦେଶର ସ୍ୱାର୍ଥ ବିରୋଧୀ କାମ କରିଥାଏ ତାକୁ ବେଆଇନ ଘୋଷଣା କରାଯିବ। ନିକଟରେ ମୋଦୀ ସରକାର ଏହାକୁ ସଂଶୋଧନ କରିଛନ୍ତି। ନୂତନ ଆଇନ ଅନୁସାରେ ଆତଙ୍କବାଦୀ ଗତିବିଧି ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇ ପାରିବ।

ମତାମତ ଦିଅନ୍ତୁ ।