ବାତ୍ୟା ‘ବୁଲବୁଲ’ ପ୍ରଭାବ, ୭୦-୯୦ କିମି ବେଗରେ ବହିବ ପବନ

ଭୁବନେଶ୍ଵର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଥିବା ‘ବୁଲବୁଲ’ ଏବେ ପାରାଦୀପଠାରୁ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ୧୦ କିମି ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ମୁହାଁଇଛି। ଏହାର ପ୍ରଭାବରେ ଆଜିଠାରୁ ୯ ତାରିଖ ଯାଏ ୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଆଜି ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରରେ ବର୍ଷା ଆଶଙ୍କାହେବାର ଆଶଙ୍କା ରହିଛି। ଏହାଛଡା ୬ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ପୁରୀ ଓ ଗଞ୍ଜାମରେ ୪୫ରୁ ୬୫ କିମି ବେଗରେ ପବନ ବହିପାରେ। ସେହିପରି ଆସନ୍ତାକାଲି ୭ଟି ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କଟକ ଓ ଯାଜପୁରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵରରେ ୭୦-୯୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏନେଇ ସେ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିବା ବେଳେ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାରେ ୯ ତାରିଖରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୬ଟି ଜିଲ୍ଲାକୁ ୨ଟି ଲେଖାଏଁ ଓଡରାଫ ଟିମ୍ ପଠାଯାଇଥିବା ବେଳେ ୯ ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ପଠାଯାଇଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।