ଭାଇରାଲ ହେଲା ନାବାଳିକା ସହିତ ସୁଇମିଂ ଟ୍ରେନରର ଦୁଷ୍କର୍ମ ଭିଡିଓ

ନୂଆଦିଲ୍ଲୀ : ଗୋଆ ପୋଲିସ ଗୁରୁବାର ଜଣେ ପହଁରାଳୀ କୋଚଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି । ଗୋଆ ପହଁରାଳୀ ସଂଘ(ଜିଏସଏ)ରେ କାର୍ଯ୍ୟରତ ସୁରଜିତ୍ ଗାଙ୍ଗୁଲିଙ୍କ ଉପରେ ୧୫ ବର୍ଷିୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଲାଗିଛି । ପଶ୍ଚିମବଙ୍ଗରେ ରହୁଥିବା ଏହି ନାବାଳିକା ତାଙ୍କ ପାଖରେ ଟ୍ରେନିଂ ନେଉଥିଲେ । ଘଟଣା ପରେ କୋଚ୍ ଜଣକ ଫେରାର ହୋଇଯାଇଛି । ତାକୁ ଖୋଜିବା ପାଇଁ ଗୋଆ ପୋଲିସ ଏକ ଟିମ୍ ପ୍ରସ୍ତୁତ କରିଛି ।

ନାବାଳିକା ସହିତ ଦୁଷ୍କର୍ମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ ଟ୍ୱିଟ୍ ଜରିଆରେ ଅଭିଯୁକ୍ତକୁ ଧରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆଶ୍ୱାସନା ଦେଇଥିଲେ । ଏହା ସହିତ ରିଜ୍ଜୁ ଭାରତୀୟ ପହଁରାଳୀ ମହାସଂଘକୁ ଏହା ସୁନିଶ୍ଚିତ କରିବା ନିର୍ଦ୍ଦେଶ ଦେଇଛନ୍ତି ଯେ ଗାଙ୍ଗୁଲିଙ୍କୁ କେଉଁଠି ବି ନିଯୁକ୍ତି ଦିଆନଯାଉ ।

ଭିଡିଓ ଭାଇରାଲ ହେବା ପରେ ଜିଏସଏ, ଗାଙ୍ଗୁଲିକୁ ବହିଷ୍କାର କରିଦେଇଛି । ଗାଙ୍ଗୁଲିଙ୍କୁ ଜିଏସଏ ୨ ବର୍ଷ ତଳେ ନିଯୁକ୍ତି ଦେଇଥିଲା । ତେବେ ରେକର୍ଡ ଅନୁସାରେ କୋଚଙ୍କ ରେକର୍ଡ ବହୁତ ଭଲ ଥିଲା । ଏହା ପୂର୍ବରୁ ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆସିନଥିଲା ।

ମତାମତ ଦିଅନ୍ତୁ ।