ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ୩୭୦ଧାରାକୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି। ଏହି ଅବସରରେ ସେ ପାକିସ୍ତାନକୁ କରିଛନ୍ତି ଆକ୍ଷେପ। କହିଛନ୍ତି ଧାରା ୩୭୦କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା। ତେଣୁ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ଜମ୍ମୁ-କଶ୍ମୀରର ଦେଶଭକ୍ତ ନାଗରିକ କଡ଼ା ଜବାବ ଦେବେ ବୋଲି ମୁଁ ଆଶା କରୁଛି।

ଗୁରୁବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ଭୋଧନ କରି କହିଥିଲେ ଯେ ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ଏକ ଐତିହାସିକ ପଦକ୍ଷେପ। ମୁଁ ଏଥିଲାଗି ଜମ୍ମୁ-କଶ୍ମୀର ଓ ଲଦାଖର ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହାଦ୍ୱାରା ବହୁ ଦିନର ସ୍ୱପ୍ନ ସଫଳ ହୋଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌, ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱପ୍ନ ସାକାର ହୋଇଛି। ଧାରା ୩୭୦କୁ ପାକିସ୍ତାନ ଅସ୍ତ୍ର ଭାବେ ବ୍ୟବହାର କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଥିଲା। ୩୭୦ର ବିଲୋପ ଫଳରେ ଏଥିରୁ ମୁକ୍ତି ମିଳିଛି। ଯାହା ଫଳରେ ଜମ୍ମୁ-କଶ୍ମୀର ବିକାଶ ଧାରାରେ ସାମିଲ ହୋଇ ସମଗ୍ର ଦେଶ ସହ ସମକକ୍ଷ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଲେ ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟ ରଖି କିଛି ସମୟ ଲାଗି ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାରଙ୍କ ଅଧିନରେ ରଖାଯିବ। ଏହାପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକେ ନିଜ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ନିଜ ପସନ୍ଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ। ଏଥିସହ କଶ୍ମୀରର ଯୁବପିଢ଼ି ନିଜକୁ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ କରିବେ। ସେମାନେ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ। କଶ୍ମୀର ଉପତ୍ୟକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବା ଲାଗି କେନ୍ଦ୍ର ସରକାର ଖାଲି ଥିବା ସମସ୍ତ ସରକାରୀ ପଦବୀକୁ ପୂରଣ କରିବେ। ଏଥିସହ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଜରିଆରେ ରୋଜଗାର ସୃଷ୍ଠି କରିବେ। ଏହାଦ୍ୱାରା ଜମ୍ମୁ-କଶ୍ମୀରର ବିକାଶ ସମ୍ଭବ ହେବା ସହ ଆର୍ଥକ ମାନଦଣ୍ଡ ସୁଦୃଢ଼ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମତାମତ ଦିଅନ୍ତୁ ।