ଭାରତର ରପ୍ତାନି ହାର ବୃଦ୍ଧି

ନୂଆଦିଲ୍ଲୀ: ଭାରତ ପ୍ରତିବର୍ଷ ଅଧିକ ମୂଲ୍ୟର ସାମଗ୍ରୀ ଆମଦାନୀ କରୁଥିବା ବେଳେ ତା’ଠାରୁ କମ୍ ମୂଲ୍ୟର ସାମଗ୍ରୀ ରପ୍ତାନି କରିଥାଏ। ସେଥିପାଇଁ ଭାରତ ସବୁବେଳେ ବାଣିଜ୍ୟ ନିଅଣ୍ଟ ଦେଇ ଗତି କରୁଥାଏ। ଯେତେବେଳେ ଆମଦାନୀ ଠାରୁ ରପ୍ତାନି କମ୍ ହୁଏ ‌ସେହି ସମୟରେ ବାଣିଜ୍ୟ ନିଅଣ୍ଟ ଦେଖାଦିଏ। ଦୀର୍ଘ ୧୮ ବର୍ଷ ହେଲାଣି ଭାରତ ବାଣିଜ୍ୟ ନିଅଣ୍ଟ ଦେଇ ଗତି କରୁଛି। ମାତ୍ର ଦେଶରେ କରୋନା ସଙ୍କଟ ଦେଖାଦେବା ପରେ ଆମଦାନୀଠାରୁ ରପ୍ତାନି ଅଧିକ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଗତ ଜୁନ୍‌ ମାସରେ ଆମଦାନୀ ଠାରୁ ରପ୍ତାନି ଅଧିକ ହୋଇଥିବା ଅନୁମାନ କରାଯାଉଛି। ଏହି ମାସରେ ଆମଦାନୀ ୪୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ରପ୍ତାନିରେ ମାତ୍ର ୧୨ ପ୍ରତିଶତ ହ୍ରାସ ଘଟିଛି। ଶେଷ ଥର ଲାଗି ୨୦୦୨ ଜାନୁଆରୀ ମାସରେ ଦେଶର ଆମଦାନୀ ଠାରୁ ରପ୍ତାନି ଅଧିକ ରହିଥିଲା। ୨୦୧୯ ଜୁନ୍‌ରେ ଯେତିକି ସ‌ାମଗ୍ରୀ ରପ୍ତାନି ହୋଇଥିଲା, ଚଳିତ ବର୍ଷ ଜୁନ୍‌ରେ ତାହାର ପ୍ରାୟ ୮୮% ସ୍ତର ହାସଲ ହୋଇପାରିଛି।  

୨୦୨୦ ଜୁନ୍‌ରେ ଲୁହା ପଥର ରପ୍ତାନି ୬୩%, ତୈଳବୀଜ ୫୧%, ଚାଉଳ ୩୨%, ରାସାୟନିକ ପଦାର୍ଥ ୧୯ ପ୍ରତିଶତ ଓ ଔଷଧ ରପ୍ତାନି ୧୦% ବଢ଼ିଛି। ସେହି ସମୟରେ ସୁନା, ମୂଲ୍ୟବାନ ପଥର, ରୁପା, ପରିବହନ ଉପକରଣ ଏବଂ ପେଟ୍ରୋଲିୟମ ସାମଗ୍ରୀ ଆମଦାନୀ ୫୬ରୁ ୭୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ପୋଷାକ, ଇସ୍ପାତ ଓ ଲୁହା, ମେସିନ ଉପକରଣ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ମଧ୍ୟ ହ୍ରାସ ପାଇଛି।

ମତାମତ ଦିଅନ୍ତୁ ।