ମହିଳା ହି˚ସାର ତଦନ୍ତ କରିବ ‘କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌ ସେଲ୍‌’

ଭୁବନେଶ୍ଵର : ପୋଲିସ ବିଭାଗର ଏଚ୍‌ଆର‌୍‌ପିସି ବା ହ୍ୟୁମାନ୍‌ ରାଇଟ୍‌ ପ୍ରୋଟେକ୍ସନ ସେଲ୍‌ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ସମ୍ବେଦନଶୀଳ ମାମଲାର ତଦନ୍ତ ଓ ଅନୁଧ୍ୟାନ କରିବ ନାହିଁ। ଏହି ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚରେ ଖୋଲିବାକୁ ଯାଉଥିବା ‘କ୍ରାଇମ୍‌ ଏଗେନ୍‌ଷ୍ଟ ଓମେନ୍‌ ସେଲ୍‌’ ନିୟନ୍ତ୍ରଣରେ ରହିବ। ସେଲ୍‌ ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି କିମ୍ବା ଡିଏସ୍‌ ପି ଦାୟିତ୍ଵରେ ରହିବେ। ମହିଳାଙ୍କ ସମ୍ପର୍କିତ ରେଡ୍‌ ଫ୍ଲାଗ୍‌ କିମ୍ବା ଅଣ ରେଡ୍‌ ଫ୍ଲାଗ୍‌ ଭୁକ୍ତ ମାମଲାର ପଞ୍ଜିକରଣଠାରୁ କୋର୍ଟରେ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା କ୍ରାଇମ୍‌ବ୍ରାଞ୍ଚ ସେଲ୍‌ ନିୟନ୍ତ୍ରଣରେ ରଖିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚରେ ନୂଆ ଖୋଲିବାକୁ ଯାଉଥିବା ସେଲ୍‌ରେ ୧୦ଟି ପ୍ରମୁଖ ଦିଗ ପ୍ରତି ଗୁରୁତ୍ବ ଦିଆଯିବ। ଏହି ବିଭାଗ ରେଡ୍‌ ଫ୍ଲାଗ୍‌ ମାନ୍ୟତା ପାଇଥିବା ମହିଳାଙ୍କ ସମ୍ବେଦନଶୀଳ ମାମଲା ପରିଚାଳନା କରିବ। ଦୁଷ୍କର୍ମ ମାମଲାରେ ୬୦ ଦିନରେ ତଦନ୍ତ ପ୍ରକ୍ରିୟା ଯେଭଳି ଶେଷ ହେବ ତାହା ସେଲ୍‌ ସୁନିଶ୍ଚିତ କରିବ। ତଦନ୍ତକାରୀ ଅଧିକାରୀ ଡିଏନ୍‌ଏ ପରୀକ୍ଷା ରିପୋର୍ଟ ପ୍ରମାଣ ସ୍ଵରୂପ ବ୍ୟବହାର ପ୍ରତି ଦୃଷ୍ଟି ଦିଆଯିବ। ଡିଏନ୍‌ଏ ରିପୋର୍ଟ ସହିତ ସାଇବର ଫରେନ୍‌ସିକ ଏବ˚ ମୋବାଇଲ୍‌ ଫରେନ୍‌ସିକ ଭଳି ଅତ୍ୟାଧୁନିକ କୌଶଳର ପ୍ରୟୋଗ କରାଯାଇ ଅପରାଧୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ସେଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ମାମଲାରେ ସ୍ଵତନ୍ତ୍ର ପିପି ନିୟୋଜିତ କରି ମାମଲାର ତ୍ଵରିତ ଶୁଣାଣି କରାଯିବ।

ସେହିପରି କୋର୍ଟରୁ ନିର୍ଦ୍ଦୋଷରେ ପ୍ରମାଣ ଅଭାବରୁ ଖଲାସ ହେଉଥିବା ଅଭିଯୁକ୍ତଙ୍କ ମାମଲାର ଜଜ୍‌ମେଣ୍ଟ ନକଲ ସେଲ୍‌ର ଅଧିକାରୀ ଉପଯୁକ୍ତ ଢଙ୍ଗରେ ଅନୁଧ୍ୟାନ କରିବେ। କେଉଁଠାରେ ପୋଲିସର ତ୍ରୁଟି ରହିଛି, ଭବିଷ୍ୟତରେ ଯେଭଳି ତାହାର ପୁନରାବୃତ୍ତି ନଘଟେ ସେଥିପ୍ରତି ଦୃଷ୍ଟି ଦିଆଯିବ। ଏହାଛଡା ପ୍ରମାଣ ଅଭାବ ଥିବା ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଲ୍‌ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସୁପାରିସ କରାଯିବ। କେବଳ ରେଡ୍‌ ଫ୍ଲାଗ୍‌ ନୁହେଁ, ଅନ୍ୟ ମାମଲା ଗୁଡ଼ିକ ମଧ୍ୟ ସେଲ୍‌ କର୍ତ୍ତୃପକ୍ଷ ପରିଚାଳନା କରିବେ।

ମତାମତ ଦିଅନ୍ତୁ ।