ମା’ ଚାଲାଣ ଦେବୀଙ୍କ ମନ୍ଦିରରେ ମହିଳାଙ୍କୁ ପ୍ରବେଶ ମନା

ନବରଙ୍ଗପୁର: ବହୁ ଅଲୌକିକ ମହିମାରେ ପୂର୍ଣ୍ଣ ଦେବୀଙ୍କ ପୀଠ, ଯେଉଁଠି ଯୁଗଯୁଗରୁ ପୂଜା ପାଇ ଆସୁଛନ୍ତି ମା’ ଚାଲାଣ ଦେବୀ । ଏହା ଏପରି ଏକ ମନ୍ଦିର ଯେଉଁଠି ମହିଳାଙ୍କୁ ପ୍ରବେଶ ନିଷେଦ୍ଧ। ନବରଙ୍ଗପୁର ଜିଲ୍ଲା ଶାସନ ଗାଁରେ ରହିଛି ମା’ ଚାଲାଣ ଦେବୀଙ୍କ ପୀଠ । କେଉଁ କାଳରୁ ମହିଳାଙ୍କୁ ମନ୍ଦିର ମନା କରାଯାଇଛି, ତାହାର ସଠିକ ତଥ୍ୟ କାହା ପାଖରେ ବି ନାହିଁ ।

ନବରଙ୍ଗପୁରର ମା’ ଚାଲାଣ ଦେବୀଙ୍କ ପୀଠରେ ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଏହି ପରମ୍ପରା। ଆଜି ପର୍ଯ୍ୟନ୍ତ କେହି ବି ଜଣେ ମହିଳା ଏଠାରେ ପ୍ରବେଶ କରିନାହାଁନ୍ତି। ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ପୂଜା ପାଉଥିବା ବେଳେ ଚୈତ୍ର ମାସରେ ମାଙ୍କ ଯାତ୍ରା ବଡ଼ ଧୂମ୍ଧାମରେ ପାଳନ କରାଯାଏ । ହେଲେ ସବୁଠୁ ବଡ କଥା ହେଲା ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଅନେକ ବାଦ ବିବାଦ ଉପୁଜିଥିବାବେଳେ ଏଠି କିନ୍ତୁ କିଛି ବି ପ୍ରଭାବ ପଡ଼ିନାହିଁ। ନବରଙ୍ଗପୁର ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ଏହି ଦେବୀଙ୍କ ପୀଠ। ଚାଲାଣ ଦେବୀ ନାଁରେ ପୂଜା ପାଇ ଆସୁଥିବା ଏହି ଦେବୀଙ୍କୁ ପାତାଳ ଭୈରବୀଙ୍କ ଅନ୍ୟ ଏକ ରୂପ ଭାବେ ଗଣନା କରାଯାଉଛି। ମାଙ୍କୁ ଧୂପ, ଦୀପ, ନଡ଼ିଆ ପ୍ରଦାନ କରୁଥିବା ବେଳେ ଏଠି ବଳି ପ୍ରଥା ମଧ୍ୟ ରହିଛି। ମା’ଙ୍କ ଆବିର୍ଭାବ ନେଇ ବର୍ତ୍ତମାନର ପିଢି ପାଖାରେ କିଛି ତଥ୍ୟ ନାହିଁ ।

କୁହାଯାଏ ଜଣେ ରଜବତୀ ନାରୀ ଚାଲାଣ ଦେବୀ ମନ୍ଦିର ଦେଇ ଯାଉଥିବା ବେଳେ ମୃତ୍ୟୁ ଘଟିଥିଲା। ତେବେ ସେହି ସମୟରୁ ହିଁ ମହିଳାଙ୍କୁ ପ୍ରବେଶ ନିଷେଧ କରାଯାଇଥିବା ଅନୁମାନ କରାଯାଉଛି। ମା’ ଙ୍କ ମହିମାରୁ ଗାଁର ଲୋକମାନେ କୁଶଳରେ ବସବାସ କରୁଛନ୍ତି । ତେବେ ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣା ଉପରେ ଗବେଷଣା ଆବଶ୍ୟକ ରହିଥିବାବେଳେ ତାହା ଆଜି ବି ବଳବତ୍ତର ରହିଛି ମା ଚାଲାଣ ଦେବୀଙ୍କ ପୀଠରେ ।

ମତାମତ ଦିଅନ୍ତୁ ।