ମେଡିକାଲ୍‌ କଲେଜ ମାମଲା: ୭ ଜଣଙ୍କ ନାମରେ ସିବିଆଇର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ: ଆଡ୍‌ମିସନ୍‌ ନ କରାଇବା ପାଇଁ ଲକ୍ଷ୍ନୌର ଏକ ମେଡିକାଲ କଲେଜ ପ୍ରତି ସରକାର ଲାଗୁ କରିଥିବା ପ୍ରତିବନ୍ଧକର ସମାଧାନ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ୭ ଜଣଙ୍କ ନାମରେ ସବିଆଇ ଚାର୍ଜସିଟ୍‌ ଦାଖଲ କରିଛି।

ଏଥିରେ ରହିଛି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇଏମ୍‌ କୁଦ୍ଦୁସିଙ୍କ ସମେତ ଭାବନା ପାଣ୍ଡେ, ଭଗବାନ ପ୍ରସାଦ ଯାଦବ, ପଳାଶ ଯାଦବ, ସୁଧୀର ଗିରି, ବିଶ୍ୱନାଥ ଅଗ୍ରଓ୍ଵାଲା ଓ ରାମ ଦେବ ସାରସ୍ୱତଙ୍କ ନାମ। ଦୁର୍ନୀତି ଓ ଅପରାଧିକ ଷଡ଼ଯନ୍ତ୍ର ନିମନ୍ତେ ଅଭିଯୁକ୍ତ କରିଛି ସିବିଆଇ। ଆହୁରି ସିବିଆଇ ଅଭିଯୋଗ କରିଛି ଯେ ଅନ୍ୟ ଅଭିଯୁକ୍ତମାନଙ୍କ ସହଯୋଗରେ କୁଦ୍ଦୁସି ଖାଲି ଯେ ମେଡିକାଲ୍‌ କଲେଜର କର୍ମକର୍ତ୍ତାମାନଙ୍କୁ ଆଇନଗତ ପଥ ପ୍ରଦର୍ଶନ କରୁଥିଲେ ତାହା ନୁହେଁ, ସେମାନଙ୍କ ସପକ୍ଷରେ ଆଇନ୍‌ଗତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୁଲାଇ ୮ ତାରିଖ ଦିନ ସ୍ୱତନ୍ତ୍ର ବିଚାରପତି ଅନୀଲ କୁମାର ସିସୋଦିଆଙ୍କ ସମ୍ମୁଖରେ ଚାର୍ଜସିଟ୍‌ ଫାଇଲ୍‌ କରାଯାଇ ଅଗଷ୍ଟ ୨ ତାରିଖ ଦିନ ବିଚାର ପାଇଁ ପୋଷ୍ଟ୍‍ କରାଯାଇଥିଲା।

କୁଦ୍ଦୁସି ଓ ଅନ୍ୟ ଅଭିଯୁକ୍ତମାନଙ୍କ ପ୍ରତିନିଧିତ୍ୱ କରୁଥିବା ଆଡ୍‌ଭୋକେଟ୍‌ ବିଜୟ ଅଗ୍ରଓ୍ଵାଲ୍‌ କହିଛନ୍ତି: ଚାର୍ଜସିଟ୍‌ରେ କୌଣସି ପବ୍ଲିକ୍‌ ସର୍ଭାଣ୍ଟ୍‌ ନଥିବାରୁ ଦୁର୍ନୀତି ମାମଲା ତିଷ୍ଠି ପାରିବ ନାହିଁ। ସେହି ଯୁକ୍ତି ବଳରେ ମୋ ମହକିଲ ଜାମିନ ପାଇଛନ୍ତି।

ମତାମତ ଦିଅନ୍ତୁ ।