ମୋଦୀଙ୍କୁ ‘ମିଛୁଆ’ ପ୍ରମାଣିତ କରିବାକୁ ରାହୁଲଙ୍କ ଭିଡିଓ ପୋଷ୍ଟ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କ ଟୁଇଟର ହାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ହଇଚଇ ସୃଷ୍ଟି କରିଛନ୍ତି। ଏହି ଭିଡିୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ମିଛୁଆ’ ପ୍ରମାଣିତ କରିବାକୁ କରିଛନ୍ତି ପ୍ରୟାସ।

ବିବିସି ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲରେ ପ୍ରଦର୍ଶିତ ଆସାମରେ ଜୋରସୋରରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ଏକ ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ଭିଡିଓକୁ ରାହୁଲ ପୋଷ୍ଟ କରିଛନ୍ତି। ସେହି ପୋଷ୍ଟରେ ରାହୁଲ ଲେଖିଛନ୍ତି ‘ଆର୍‌ଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହିଛନ୍ତି’।

ପ୍ରକାଶଯୋଗ୍ୟ ଯେ ବୁଧବାର ବିଜେପି ପକ୍ଷରୁ ଆୟୋଜିତ ଦିଲ୍ଲୀର ଏକ ନିର୍ବାଚନ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଦେଶର କୌଣସି ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ନିର୍ମାଣ କରାଯାଉ ନାହିଁ। ମାତ୍ର ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ ଆଳରେ ଚାଲିଥିବା ହିଂସାକୁ ଉସ୍‌କାଇବା ଉଦ୍ଦେଶ୍ୟରେ କଂଗ୍ରେସ ଓ ‘ସହରୀ ନକ୍ସଲ’ଙ୍କ ପକ୍ଷରୁ ଏପ୍ରକାରର ମିଥ୍ୟା ଅପପ୍ରଚାର ଚାଲିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟର ଦିନକ ପରେ ରାହୁଲ ଭିଡିଓ ପୋଷ୍ଟକରି ପୁଣିଥରେ ଚର୍ଚ୍ଚାକୁ ବଢାଇ ଦେଇଛନ୍ତି। କାରଣ ଏହି ଭିଡିଓରେ ସଂପୃକ୍ତ ଅଟକ କେନ୍ଦ୍ର ବା ‘ଡିଟେନ୍‌ସନ ସେଣ୍ଟର’ର ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ଏହି ସେଣ୍ଟରର ନିର୍ମାଣ କାର୍ଯ୍ୟ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟ ପକ୍ଷରୁ କରାଯାଉଛି। ଏଥିପାଇଁ ୪୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ନହେବାରୁ ସମୟ ଅବଧିକୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ମତାମତ ଦିଅନ୍ତୁ ।