ଯୁବତୀଙ୍କୁ ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ

ଭୁବନେଶ୍ଵର : ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ଜା ଓ ଅମାନବିୟ ଘଟଣା। ଜଣେ ଯୁବତୀକୁ ୩ ଯୁବକ ଜଙ୍ଗଲ ଭିତରେ ରାତିସାରା ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଛାଡ଼ି ପଳାଇ ଯାଇଛନ୍ତି। ପୀଡ଼ିତାଙ୍କ ପରିବାରର ଅଭିଯୋଗ କ୍ରମେ ବୀରମିତ୍ରପୁର ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ସହ ରୀମା (ଛଦ୍ମନାମ) ନାମକ ଯୁବତୀ ଙ୍କର ଚିହ୍ନା ପରିଚୟ ଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ସମ୍ପୃକ୍ତ ଯୁବକ ରୀମାକୁ ଫୋନ୍‌ କରି ଗାଁ ନିକଟସ୍ଥ ଜଙ୍ଗଲ ପାଖରେ କଥା ହେବାକୁ ଡାକିଥିଲା। ରୀମା ତାଙ୍କର ଜଣେ ସାଙ୍ଗଙ୍କ ସହିତ ଦେଖା କରିବାକୁ ଆସିଥିଲେ। ସେଠାରେ ରୀମା ସହିତ ଯୁବକ ଜଣଙ୍କ କଥାବାର୍ତ୍ତା ହେଉଥିବା ସମୟରେ ଯୁବକଙ୍କର ଦୁଇଜଣ ବନ୍ଧୁ ପହଞ୍ଚିଥିଲେ। ତା’ପରେ ରୀମା ଓ ତା’ ସହିତ ଯାଇଥିବା ଯୁବତୀଙ୍କୁ ସେମାନେ ଜବରଦସ୍ତ ଜଙ୍ଗଲ ଭିତରକୁ ଟେକି ନେଇଯାଇଥିଲେ। ତେବେ କୌଶଳ କ୍ରମେ ରୀମାଙ୍କ ସାଙ୍ଗ ସେମାନଙ୍କ କବଳରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ ହେଁ ରୀମାଙ୍କୁ ଜଙ୍ଗଲ ଭିତରେ ୩ଜଣ ଯୁବକ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କୁ ରାତିସାରା ପାଞ୍ଚଥର ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଛାଡି ପଳାଇ ଯାଇଥିଲେ।

ବୁଧବାର ସକାଳେ ରୀମା ବହୁ କଷ୍ଟରେ ଘରେ ପହଞ୍ଚି ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଗତକାଲି ରାତିରେ ପରିବାର ଲୋକେ ଏନେଇ କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତମାନଙ୍କର ନାଁ ପ୍ରକାଶ ନକରି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।