ଯୁବତୀ ଚାଲାଣ ଓ ଦୁଷ୍କର୍ମ ଅଭିଯୋଗ, ବାବାଙ୍କୁ ଜେଲ୍‌

ଭୁବନେଶ୍ଵର: ୨୦୧୬ ମସିହାରେ ବଲାଙ୍ଗୀର ଜିଲ୍ଲା ସଇନ୍ତଲା ଥାନାରେ ଦାୟର ହୋଇଥିବା ଯୁବତୀ ଚାଲାଣ ଏବଂ ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌। ମୁଖ୍ୟ ଅଭିଯୁକ୍ତ ବାବା ମଧୁସୂଦନ ଦାସଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ପ୍ରକାଶ ଯେ, ସଇଁନ୍ତଲା ଥାନା ଅଞ୍ଚଳରେ ମଧୁସୂଦନ ଦାସ ନିଜକୁ ତାରିଣୀ ବାବା କହି ଅଲୌକିକ ଶକ୍ତିର ଅଧିକାରୀ ବୋଲି ପ୍ରଚାର କରି ଆସୁଥିଲେ। ଜଣେ ବ୍ୟକ୍ତିଙ୍କ ଦୁଇ ନାବାଳିକା ଝିଅଙ୍କ ଉପରେ ପଡ଼ିଥିଲା ତାଙ୍କର ଲୋଲୁପ ଦୃଷ୍ଟି। ଦୁଇ ଭଉଣୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିବ ପରେ ରାୟପୁରର ଏକ ଲଜରେ ରଖିଥିଲେ। ସେଠାରୁ ରାଜସ୍ଥାନର ଜୟପୁର ସହରକୁ ନେଇ ବାରମ୍ୱାର ଦୁଷ୍କର୍ମ କରିଥିଲେ। ଝିଅକୁ ନପାଇ ପରିବାର ଲୋକ ସଇଁନ୍ତଲା ଥାନାରେ ଅଭିଯୋଗ କରିବାରୁ ପୋଲିସ କେସ୍ ନଂ ୨୧୪/୧୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗ୍ୱାଲିୟରରେ ବିକ୍ରି ହୋଇଥିବା ନାବାଳିକା ଜଣକ କୌଶଳକ୍ରମେ ଖସି ଆସି ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ସଇଁନ୍ତଲା ପୋଲିସ ବାବାଙ୍କୁ ଗିରଫ କରିଥିଲା। ଅନ୍ୟ ଜଣେ ନାବାଳିକାର ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ।

ମତାମତ ଦିଅନ୍ତୁ ।