ରାଜ୍ୟରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍

ଭୁବନେଶ୍ୱର : ରାଜ୍ୟରେ କରୋନା କମୁଥିଲେ ହେଁ ରାଜ୍ୟ ସରକାର ବଢ଼ିଲା ଆଂଶିକ ଲକଡାଉନ୍ ଅବଧିକୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏହି କଟକଣା ମଧ୍ୟରେ ସାରା ରାଜ୍ୟରେ ବସ୍ ଚଳାଚଳ କରିବ। ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

ଗୁରୁବାର ମୁଖ୍ୟ ସଚିବ କହିଛନ୍ତି ରାଜ୍ୟରେ କରୋନା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ସେଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାଟେଗୋରୀ-‘ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତଦିନ ଯାଏ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋଦାକ ବଜାର ଖୋଲିବ। କ୍ୟାଟେଗୋରୀ-‘ବି’ ୧୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲା ରହିବ। କିନ୍ତୁ ସପ୍ତାହାନ୍ତ ଶଟଡାଉନ୍ ବଳବତ୍ତର ଓ ପୂର୍ବପରି ନାଇଟ୍ କର୍ଫ୍ୟୁ ଜାରି ରହିବ।

ସେ କହିଲେ ରାଜ୍ୟରେ ବସ୍ ଚଳାଚଳ ପାଇଁ ପୂର୍ବରୁ କେବଳ କ୍ୟାଟେଗୋରୀ-ବି’ ଜିଲ୍ଲାରେ ଅନୁମତି ମିଳିଥିଲା। ଏବେ ସବୁ ଜିଲ୍ଲାରେ ବସ୍ ଚଳାଚଳ କରିବ। ବସ୍‌ରେ ସିଟ୍ ଅନୁଯାୟୀ ଯାତ୍ରୀଙ୍କୁ ବସିବାକୁ ମିଳିବ ଅନୁମତି। ରଥଯାତ୍ରା ପାଇଁ ପୁରୀ ଜିଲ୍ଲାରେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବସ୍ ଚଳାଚଳ କରିବ ନାହିଁ। ବାହୁଡା ଯାତ୍ରା ଶେଷ ଯାଏ ଏହି କଟକଣା ରହିବ। ସେହିପରି ଏଣିକି ରାଜ୍ୟରେ ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳା କରିବ। ସବୁ ଜିଲ୍ଲାରେ ଯେତିକି ସମୟ ଦୋକାନ ବଜାର ଖୋଲିବ ସେହି ସମୟ ଭିତରେ ଗାଡ଼ି ଚଳାଚଳ କରିପାରିବ। ଏହାଛଡା ଦୀର୍ଘଦିନ ବନ୍ଦ ଥିବା ପାର୍ଲର୍, ସ୍ପା, ଜିମ୍, ସେଲୁନ୍ କାଲିଠାରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉଟ୍ ଡୋର୍ ସ୍ପୋର୍ଟସ୍ ପାଇଁ ସରକାର ଅନୁମତି ଦିଆଯାଇଛି। ହେଲେ ସେଠାକୁ ଦର୍ଶକଙ୍କୁ ଅନୁମତି ମିଳିବନି। ରାଜ୍ୟରେ ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ଶୁଟିଂକୁ ଅନୁମତି ଦିଆଯାଇଥିବା ବେଳେ ପାର୍କ, ଶପିଂ ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ ଓ ଯାତ୍ରା ପୂର୍ବଭଳି ବନ୍ଦ ରହିବ।

ଏହାବ୍ୟତୀତ ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା ତାହା ଜାରି ରହିବ। ସ୍କୁଲ୍, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ରହିବ। ବାର୍ ଖୋଲିବାକୁ ଅନୁମତି ନଥିବା ବେଳେ ରେଷ୍ଟୁରାଣ୍ଟ ଖୋଲିବ। କିନ୍ତୁ ରେଷ୍ଟୁରାଣ୍ଟରେ ବସି ଖାଇହେବ ନାହିଁ। କେବଳ ଖାଦ୍ୟ ପାର୍ସଲ୍ ନେଇହେବ ହେବ ବୋଲି ମୁଖ୍ୟ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.