ରାନୁଙ୍କ ପ୍ରସଙ୍ଗରେ ଲତା କହିଲେ ଅନୁକରଣ କରିବା ଠିକ୍ ନୁହେଁ, କିଛିଦିନ ଚର୍ଚ୍ଚାରେ ରହିବ

ମୁମ୍ୱାଇ: ରାନୁ ମଣ୍ଡଳଙ୍କ ସଫଳତାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଖୁସି ପ୍ରକଟ କରିଛନ୍ତି। ଏହି ଅବସରରେ ଲତା ରାନୁ ଓ ଅନ୍ୟ ଗାୟକ ଗାୟିକାମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। କହିଛନ୍ତି ଅନୁକରଣ ଠିକ୍ ନୁହେଁ। ଏହା ବେଶିଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ।

ଲତା କହିଛନ୍ତି ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍ ନୁହେଁ। କାରଣ ଏହା ସଫଳତା ପାଇବାର ବିଶ୍ୱାସନୀୟ ସାଥୀ ହୋଇନପାରେ। କିଶୋର ଦା, ମହମ୍ମଦ ରଫି, ମୁକେଶ ଭାଇ, ଆଶା ଭୋସଲେ କିମ୍ୱା ମୋର ଗୀତ ଗାଇ ଜଣେ କେବଳ କିଛି ଦିନ ଚର୍ଚ୍ଚାରେ ରହିପାରିବ। କିନ୍ତୁ ଏହା ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।

ସେହିଭଳି ଟେଲିଭିଜନ୍‌ରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’କୁ ନେଇ ଲତା ଚିନ୍ତା ପ୍ରକଟ କରିଥିବା ବେଳେ କହିଛନ୍ତି ମୁଁ ଦେଖିଛି ବହୁତ ପିଲା ମୋ ଗୀତକୁ ସୁନ୍ଦର ଭାବରେ ଗାଇଥା’ନ୍ତି। କିନ୍ତୁ ଏଥିରେ ମିଳୁଥିବା ସଫଳତା ପରେ ସେମାନଙ୍କୁ କିଏ ମନେ ରଖୁଛି ? ମୁଁ କେବଳ ସୁନିଧି ଚୌହାନ ଓ ଶ୍ରେୟା ଘୋଷାଲଙ୍କୁ ଜାଣିଛି।

ତେଣୁ ଗୀତ ଗାଇବା ପାଇଁ ଚାହୁଁଥିବା ଯୁବକଯୁବତୀ ଓ ଛୋଟପିଲାଙ୍କୁ ଲତା କେତେଜଣଙ୍କ ଉଦାହରଣ ଦେଇ ପରାମର୍ଶ ଦେଇଛନ୍ତି। ଭଉଣୀ ତଥା ପ୍ରସିଦ୍ଧ ଗାୟିକା ଆଶା ଭୋସ୍‌ଲେଙ୍କ ଭଳି ନିଜ ସ୍ୱରରେ ଗାଇ ପରିଚୟ ତିଆରି କରିବାକୁ ଚେଷ୍ଟା କର। ଯଦି ଆଶା ନିଜ ସ୍ୱରରେ ଗାଇବା ପାଇଁ ଚେଷ୍ଟା କରି ନଥା’ନ୍ତେ, ତେବେ ସେ ସବୁଦିନ ପାଇଁ ମୋର ଛାଇ ହୋଇ ରହି ଯାଇଥା’ନ୍ତେ। ଜଣେ ବ୍ୟକ୍ତିର ପ୍ରତିଭା ତାକୁ କେତେ ଦୂର ପର୍ଯ୍ୟନ୍ତ ନେଇପାରେ, ଆଶା ଏହାର ସବୁଠାରୁ ବଡ଼ ଉଦାହରଣ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।