ରୋଗୀକୁ ୫ କିଲୋମିଟର କାନ୍ଧରେ ବୋହିଲେ ଡାକ୍ତର

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲାର ପୂର୍ବତନ ଏସପି ଜନସେବା ପାଇଁ ଥିଲେ ଲୋକପ୍ରିୟ। ଜିଲ୍ଲା ସାରା ତାଙ୍କୁ ନେଇ ଚାଲିଥିଲା ଚର୍ଚ୍ଚା। ଏବେ ଜଣେ ଡାକ୍ତର ସେହିଭଳି ମହତ କାର୍ଯ୍ୟ କରିଛନ୍ତି। ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଦେଖିବାକୁ ମିଳିଛି ତାଙ୍କର ମହନୀୟତା। ଖରାପ ରାସ୍ତା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଡାକ୍ତର କାନ୍ଧରେ ବୋହି ୫ କିଲୋମିଟର ନେଇଛନ୍ତି।

ଗତକାଲି ଜଣେ ଅନାଥ ବାଳକ କମୁଲୁ କିର୍ଷାନି ଅସୁସ୍ଥ ହୋଇପଡ଼ିବାରୁ ଗାଁ ଲୋକେ ଆରୋଗ୍ୟ ପ୍ଲସ ଟିମ୍‌କୁ ଖବର ଦେଇଥିଲେ। ଖବର ପାଇ ଡାକ୍ତରୀ ଟିମ୍ ପହଞ୍ଚିଥିଲେ। କମୁଲୁଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଗାଁକୁ ଆସି ନପାରି ୫ କିଲୋମିଟର ଦୂରରେ ରହିଥିଲା। ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଡ୍ରାଇଭର କମୁଲୁଙ୍କୁ କାନ୍ଧରେ ବୋହି ବୋହି ବାଲିବାଡ଼ିରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ଡାକ୍ତରଙ୍କ ଏହି କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। ଲୋକେ ଆଲୋଚନା କରୁଛନ୍ତି ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର କୁହାଯାଏ। ତାଙ୍କ ସେବାରେ ରୋଗୀ ପାଏ ନୂଆ ଜୀବନ। ଏଇ ଜୀବନର ମୂଲ୍ୟକୁ ବୁଝିଥିବା ଡାକ୍ତର ମହାଶୟ ଯେପରି ରୋଗୀକୁ କାନ୍ଧରେ ବୋହିଲେ ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ।

ମତାମତ ଦିଅନ୍ତୁ ।