ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର : ରାଜ୍ୟରେ ଗଠନ ହେବ ସ୍ଵତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ। ରାଜସ୍ଵ ବିଭାଗର ଏହି ପ୍ରସ୍ତାବକୁ ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦନ ଦେଇଛି। ଏଥିସହ ଅନ୍ୟ ପ୍ରସ୍ତାବ ଗୁଡିକ ଉପରେ ମଧ୍ୟ ଲାଗିଛି କ୍ୟାବିନେଟ ମୋହର।

ରବିବାର ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ୧୪ଟି ପ୍ରସ୍ତାବ ଉପରେ ଲାଗିଥିଲା ମୋହର ଲାଗିଛି। କିନ୍ତୁ ବିଧାନସଭା ଚାଲୁଥିବାରୁ ନିଷ୍ପତ୍ତି ବିଷୟରେ ଗଣମାଧ୍ୟମକୁ ସୂଚନା ଦିଆଯାଇନାହିଁ। ତେବେ ବିଶ୍ଵସ୍ତ ସୁତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ଲଘୁ ଖଣିଜ ସଂପଦ ଚୋରା ଚାଲାଣ ଦ୍ଵାରା ରାଜ୍ୟର ବିପୁଳ ରାଜସ୍ଵ କ୍ଷତି ହେଉଛି। ଏହାକୁ ରୋକିବା ପାଇଁ ସରକାର ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶାଳୟ ରାଜସ୍ଵ ବିଭାଗ ଅଧୀନରେ କାର୍ଯ୍ୟ କରିବ। ନିର୍ଦ୍ଦେଶାଳୟ ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ କାରବାର ଓ ଲିଜ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ।

ସେହିପରି ଗଞ୍ଜାମର ସୀତଳାପଲ୍ଲୀରେ ଟାଟା ଷ୍ଟିଲ ପକ୍ଷରୁ ନିର୍ମାଣ ହେବାକୁ ଥିବା ମଲିଟି ଫ୍ୟାସିଲିଟି ହସ୍ପିଟାଲ ନିର୍ମାଣ ପାଇଁ ସ୍ଵଳ୍ପ ପ୍ରିମିୟମରେ ୪୩.୦୫ ଏକର ଜମି ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବିତ କଳାହାଣ୍ଡିର ନର୍ଲାରେ ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ପ୍ରକଳ୍ପ ନିର୍ମାଣ ପାଇଁ ୧୪୧.୦୭ ଏକର ଜମି ଯୋଗାଇ ଦିଆଯିବ। ଏହାଛଡା ରେଳ ଫ୍ୟାକ୍ଟ୍ରିକୁ ସଂଯୋଗୀକରଣ ପାଇଁ ୧୧୦ ଏକର ଜମି ସରକାର ରେଳ ବିଭାଗକୁ ପ୍ରଦାନ କରାଯିବ। ପୁରୀ ଶଙ୍କରାଚାର୍ଯ୍ୟ ମଠର ଜମି ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ତାଲିକାରେ ରେକର୍ଡ଼ ହୋଇଥିଲା। ସରକାର ୩.୭୮ ଏକର ଜମି ଜଗନ୍ନାଥଙ୍କ ଖାତାରୁ କାଟି ଶଙ୍କରାଚାର୍ଯ୍ୟ ମଠକୁ ପୁଣି ଫେରାଇବେ। ଏଥିପାଇଁ ଷ୍ଟାମ୍ପ ଫି ଛାଡ କରାଯିବ।

ଏହାବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ରାଜ୍ୟରେ ଗଠନ ହେବ ଓଡ଼ିଶା ମୁକ୍ତ ବିଶ୍ଵବିଦ୍ୟାଳୟ। ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଏସିଆନ ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ୍ ୟୁନିଭରସିଟିରେ ପରିଣତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଅନୁରୂପ ବେବ ପଞ୍ଚାୟତିରାଜ ବିଭାଗର ୩ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ନିଷ୍ପତ୍ତି ଅନୁଯାୟୀ ପୁରୀ, ନବରଙ୍ଗପୁର ଓ ଝାରସୁଗୁଡ଼ାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ। କୋରାପୁଟ ଜିଲ୍ଲା ଜୟପୁରର ପଟ୍ଟାଙ୍ଗୀ ବ୍ଲକରେ ଜଣେ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ଘଟଣାରେ ତଦନ୍ତ କମିସନ ଦେଇଥିବା ରିପୋର୍ଟକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହ କ୍ୟାବିନେଟ ବୈଠକରେ ଗ୍ରହଣ କରାଯାଇଛି। ଆଡଭୋକେଟ ଜେନେରାଲ ଭାବେ ଅଶୋକ ପରିଜା ନିଯୁକ୍ତିକୁ ଉପରେ କ୍ୟାବିନେଟ ମୋହର ଲାଗିଥିବା ବେଳେ ଚଳିତ ବିଧାନସଭା ଆହୁତ ହେବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଛି। ଓଡ଼ିଶା ଲୋକାୟୁକ୍ତ ଆଇନରେ ସଂଶୋଧନ ଓ ଓଡ଼ିଶା ଷ୍ଟାମ୍ପ ଡ୍ୟୁଟି ଆଇନରେ ସରକାର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।