ଲଦାଖରେ ଭାରତୀୟ ଯବାନଙ୍କ ସଂଖ୍ୟା ଚୀନକୁ ଟପିଲା

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲଓ୍ଵାନ ଘାଟି ଅଞ୍ଚଳରେ ଉତ୍ତେଜନା ଥମୁନାହିଁ। ଭାରତ ଓ ଚୀନ ଯବାନଙ୍କ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ସୈନ୍ୟ, ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ତେବେ ଡ୍ରାଗନକୁ ଦୃଢ ଜବାବ ଦେବା ପାଇଁ ଭାରତୀୟ ସେନା ନିଜର ଶକ୍ତି ବଢାଇଛି। ଇତିମଧ୍ୟରେ ଲଦାଖର ଅନେକ ସ୍ଥାନରେ ସେନା ମୁତୟନ ହୋଇ ସାରିଛି। ଏଲଏସିରେ ବାସ୍ତବିକ ସ୍ଥିତିକୁ ଚୀନ ବଦଳାଇବାକୁ କରୁଥିବା ପ୍ରୟାସକୁ ଦୃଷ୍ଟିରେ ରଖି ଭାରତ ଏହି ପଦକ୍ଷେପ ନେଇଛି।

ଖବର ଅନୁଯାୟୀ ଭାରତୀୟ ସେନା ପୂରା ଲଦାଖରେ ୪୦ ରୁ ୪୫ ହଜାର ଯବାନଙ୍କୁ ମୁତୟନ କରିଛି। ପ୍ରଥମେ ଏହି ସଂଖ୍ୟା ୨୦ରୁ ୨୪ ହଜାର ଥିଲା। ଏହାଛଡା ଭାରତର ସୁରକ୍ଷା ପାଇଁ ଭାରତ-ତିବ୍ବତ ବର୍ଡର (ଆଇଟିବିପି)ର ଯବାନଙ୍କୁ ମୁତୟନ କରାଯାଇଛି। ଜଣେ ଅଧିକାରୀଙ୍କ ସୂଚନା ହେଲା ଲଦାଖରେ ଚୀନ ସୈନିକଙ୍କ ସଂଖ୍ୟା ଭାରତଠାରୁ କମ୍। ଚୀନ ସେହି ଅଞ୍ଚଳରେ ପ୍ରାୟ ୩୦ ରୁ ୩୫ ହଜାର ଜବାନଙ୍କୁ ମୁତୟନ କରିଛି।

ଆହୁରି ସୂଚନା ମିଳିଛି ଚୀନ ଲଦାଖର ଚୁମାର, ଦେପସାଙ୍ଗ, ଡେମଚକ, ଗୋରଗା, ଗଲଓ୍ଵାନ, ପାଙ୍ଗଙ୍ଗ ହ୍ରଦ ଓ ଟ୍ରିଗ୍ ହାଇଟ୍ସରେ ବାସ୍ତବିକ ସ୍ଥିତି ବଦଳାଇବା ଉଦ୍ଦେଶ୍ୟରେ ରହିଛି। ଏହାର ଜବାବ ଦେବାକୁ ଭାରତୀୟ ଯବାନମାନେ ପ୍ରସ୍ତୁତ। ସେଥିପାଇଁ ଭାରତୀୟ ସେନା ପକ୍ଷରୁ ଆକାଶ ମାର୍ଗରୁ ସୀମା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ମେ ଶେଷ ସୁଦ୍ଧା ଚୀନ ଗୋରଗା ନିକଟରେ ଟ୍ୟାଙ୍କ ଓ ଆର୍ଟଲରି ଗନ ଠୁଳ ଆରମ୍ଭ କରିଥିଲା। ଏହା ପୂର୍ବରୁ ସୈନ୍ୟ ସଂଖ୍ୟା ବଢାଇ କାମ୍ବେଟ୍ ଫୋର୍ସକୁ ମୁତୟନ କରିଥିଲା। ଏଥିରୁ ଜଣାପଡୁଛି ଚୀନର ଉଦ୍ଦେଶ୍ୟ ଠିକ୍ ନୁହେଁ।

ସଦ୍ୟତମ ସୂଚନା ହେଲା ଚୀନ ସେନା ପାଙ୍ଗଙ୍ଗ ସୋ ହ୍ରଦର ଆଖପାଖରେ ବୋଟ୍‌ ପାଟ୍ରୋଲିଂକୁ ଜୋରଦାର କରିଛି। ହ୍ରଦର ଉତ୍ତର ଦିଗରେ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିଥିବା ବେଳେ ଫିଙ୍ଗର ୪ ଓ ଫିଙ୍ଗର ୮ ମଧ୍ୟରେ ଥିବା ସ୍ଥାନରେ ଏକ ହଜାରରୁ ଦେଢ ହଜାର ଚୀନ ସୈନ୍ୟ ରହିଛନ୍ତି। ସେହିପରି ଫିଙ୍ଗର ୪ ଓ ୮ ମଧ୍ୟରେ ଚୀନ ବଙ୍କର୍ସ ନିର୍ମାଣ କରିଥିବା ବେଳେ ତମ୍ବୁ ମଧ୍ୟ ପକାଇଛି। ଯାହା ବାସ୍ତବିକ ସ୍ଥିତିର ସ୍ପଷ୍ଟ ଉଲ୍ଲଂଘନ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।