ଲଦାଖର ପୂରା ଅଞ୍ଚଳ ଭାରତର ମସ୍ତକ : ମୋଦି

ଲଦାଖ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚି ଭାରତୀୟ ସୈନିକଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଏହି ଅବସରରେ ସେ ଯବାନମାନଙ୍କୁ କହିଛନ୍ତି ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲିଉଠୁଛି। ଏହି ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ। ଆଜି ସାରା ଦୁନିଆ ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା। ଗଲୱାନ ଆମର। ଲଦାଖର ଏ ପୂରା ଅଞ୍ଚଳ ଭାରତର ମସ୍ତକ। ଏ ମାଟି ବୀରମାନଙ୍କର। ଏହାର ସୁରକ୍ଷା ଆମର ସଂକଳ୍ପ।

ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ସୃଷ୍ଟି ହୋଇଛି ଯୁଦ୍ଧଭଳି ପରିସ୍ଥିତି। ଏହିଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ପହଞ୍ଚିଥିଲେ ଲଦାଖର ଫରୱାର୍ଡ ପୋଷ୍ଟରେ। ସ୍ଥିତି ସମ୍ପର୍କରେ ଯବାନମାନଙ୍କ ସହିତ କରିଥିଲେ ଆଲୋଚନା। ଆଉ ଚୀନକୁ ଦେଇଥିଲେ କଡ଼ା ଚେନାବନୀ। ସେ କହିଲେ ବିସ୍ତାରବାଦୀ ନୀତି ମାନବଜାତିର ସବୁ ଠାରୁ ଅଧିକ କ୍ଷତି କରିଛି। ମାନବ ଜାତିର ବିନାଶ ପାଇଁ ଏହି ନୀତି ହିଁ ଦାୟୀ। ଯିଏ ବିସ୍ତାରବାଦୀ ନୀତିକୁ ଆପଣାଇବାକୁ ଚେଷ୍ଟା କରିଛି, ସେ ସର୍ବଦା ବିଶ୍ୱର ଶାନ୍ତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂରା ବିଶ୍ୱ ବିସ୍ତାରବାଦ ନୀତି ବିରୋଧରେ ସ୍ୱର ଉଠାଉଛି। ଏବେ ବିଶ୍ୱ ବିକାଶବାଦୀ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆଜି ବିକାଶର ସମସ୍ତ ନୀତିନିୟମକୁ ସମସ୍ତେ ସ୍ୱାଗତ କରୁଛନ୍ତି।

ମୋଦି କହିଲେ ସେତେବେଳେ ମୁଁ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିଚାର କରେ ଦୁଇଜଣ ମାତାଙ୍କୁ ସ୍ମରଣ କରିଥାଏ। ପ୍ରଥମେ ଭାରତ ମାତା ଓ ଦ୍ୱିତୀୟରେ ଆପଣମାନଙ୍କ ଭଳି ବୀର ସନ୍ତାନଙ୍କୁ ଜନ୍ମ ଦେଇଥିବା ମାତା। ବୀର ଯବାନଙ୍କୁ ପ୍ରଶଂସା କରି ସେ କହିଲେ ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଗଲୱାନ ଘାଟିରେ ସହିଦ ବୀର ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନେ ବୀରତାର ପରିଚୟ ଦେଖାଇଛନ୍ତି। ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ। ମୋଦି କହିଲେ ଏ ମାଟିର ସୁରକ୍ଷା ନେଇ ଆପଣମାନେ କରିଥିବା ସଂକଳ୍ପକୁ ମୁଁ ଦେଖିପାରୁଛି। ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯାଇଛି। ପ୍ରତି ଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି। ଦୁର୍ବଳ ଓ କମଜୋର କେବେ ଶାନ୍ତି ଆପଣାଇ ପାରିବେ ନାହିଁ। ବୀରମାନେ ହିଁ ଶାନ୍ତି ପ୍ରତିଷ୍ଠା କରିପାରିବେ। ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି। ଠିକକୁ ଠିକ କହିବା ଓ କରି ଦେଖାଇବା ହିଁ ସାହସ। ଆମେ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚିତ ତିଆରି କରିବା ପାଇଁ ଏହା ସହାୟକ ହେବ।

ମତାମତ ଦିଅନ୍ତୁ ।