ଲଦାଖ ସୀମାରେ ଭାରତ ନିୟୋଜିତ କଲା ଘାତକ କମାଣ୍ଡୋ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟିବା ପରିବର୍ତ୍ତେ ବଢ଼ି ଚାଲିଛି। ଉଭୟ ଦେଶ ମୁହାଁମୁହିଁ ସ୍ଥିତିରେ ଥିବାରୁ ଯୁଦ୍ଧ ଆଶଙ୍କା ଦେଖା ଦେଇଛି। ଆଲୋଚନା କେବଳ ନାମକୁ ମାତ୍ର ବୋଲି ପ୍ରମାଣିତ ହୋଇ ସରିଲାଣି। ଚୀନ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଆଲୋଚନା କରୁଥିଲେ ମଧ୍ୟ ସୈନ୍ୟ ସଂଖ୍ୟା ବଢାଇ ଚାଲିଛି। ଏହାର ମୁକାବିଲା ପାଇଁ ଭାରତ ଆପଣେଇଛି ଅନୁରୂପ ପନ୍ଥା। ଆଜି ଲଦାଖ ସୀମାକୁ ସ୍ପେଶାଲ ଫୋର୍ସ ୟୁନିଟିର କମାଣ୍ଡୋମାନଙ୍କୁ ପଠାଯାଇଛି। ଏହି ଘାତକ କମାଣ୍ଡୋମାନେ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରେ ସାମିଲ ହୋଇଥିଲେ। ଏବେ ଚୀନକୁ ଚେକ୍‌ ଦେବାକୁ ଭାରତ ଏହି କମାଣ୍ଡୋମାନଙ୍କୁ ମୁତୟନ କରିଛି।

ଖବର ଅନୁଯାୟୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପାରା ସ୍ପେଶାଲ ଫୋର୍ସର କମାଣ୍ଡୋମାନଙ୍କୁ ଆଜି ଲଦାଖ ସୀମାନ୍ତକୁ ପଠାଯାଇଛି। ସେମାନେ ସେଠାରେ ପହଞ୍ଚିବା ପରେ ନିଜ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୂର୍ବ ଲଦାଖରେ ହିଁ ଏମାନଙ୍କୁ ମୁତୟନ କରାଯାଇଛି। ଭାରତ ପାଖରେ ୧୨ରୁ ଅଧିକ ସ୍ପେଶାଲ ଫୋର୍ସ ରେଜିମେଣ୍ଟ ରହିଛନ୍ତି। ଯେଉଁମାନେ ଦେଶର ଅଲଗା ଅଲଗା ସ୍ଥାନରେ ଟ୍ରେନିଂ ନେଇଥାଆନ୍ତି। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା କମାଣ୍ଡୋମାନଙ୍କୁ ଲେହ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉଚ୍ଚ ଉଚ୍ଚ ପାହାଡ଼ରେ ଟ୍ରେନିଂ ଦିଆଯାଇଥାଏ। ଏହାବାଦ୍‌ ଘଞ୍ଚ ଜଙ୍ଗଲ ଓ ମରୁଭୂମିରେ କେମିତି ଶତ୍ରୁ ପକ୍ଷଙ୍କୁ ମୁକାବିଲା କରାଯାଏ, ସେ ବିଷୟରେ ସମସ୍ତେ ଟ୍ରେନିଂ ନେଇଛନ୍ତି।

ମତାମତ ଦିଅନ୍ତୁ ।