ଲେଜର୍‌ ଚିକିତ୍ସାରେ ଭଲହେବ ଡାଇବେଟିସ୍‌

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ)ର ଜେରିଲଟ୍ରିକ୍‌ ବିଭାଗର ଡାକ୍ତରମାନେ ମଧୁମେହ ବା ଡାଇବେଟିସ୍‌ ରୋଗର ଉପଚାର ପାଇଁ ଏକ ନୂଆ ଚିକିତ୍ସା ପଦ୍ଧତି ବାହାର କରିଛନ୍ତି। ଏହି ରୋଗରେ ପୀଡ଼ିତ ବୟସ୍କମାନଙ୍କୁ ଲେଜର ଚିକିତ୍ସା ପଦ୍ଧତିରେ ଭଲ କରାଯାଇ ପାରିବ। ୪୦ ଜଣ ବରିଷ୍ଠ ମଧୁମେହ ରୋଗୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅଧ୍ୟୟନ କରିବା ପରେ ରୋଗର ଚିକିତ୍ସା ପାଇଁ ଉପାୟ ବାହାରିଛି।

ଦେଶରେ ମଧୁମେହ ରୋଗୀକୁ ସଂଖ୍ୟା ବାଢୁଛି। ଆସନ୍ତା ୨୦୨୫ ସୁଦ୍ଧା ରୋଗୀସଂଖ୍ୟା ୭୦ ମିଲିୟନ ଓ ୨୦୩୦ ବେଳକୁ ୮୦ ମିଲିୟନରେ ପହଁଚିଥିବ ବୋଲି ଅନୁମାନ କରାଯାଉଛି। ଏହି ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧ ନାହିଁ। ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଔଷଧ ସେବନ ଏବେ ଏକମାତ୍ର ବିକଳ୍ପ। କିନ୍ତୁ ଏମ୍ସ ଡାକ୍ତରମାନେ ଡାଇବେଟିସ୍‌ ନିୟନ୍ତ୍ରଣ ପାଇଁ ଉପାୟ ବାହର କରିଛନ୍ତି। ସେମାନେ କହିଛନ୍ତି ଡିପ୍‌ ଟିସ୍ୟୁ ଲେଜର୍‌ ଟେକ୍ନିକ୍‌ ବା ଡିଟିଏଲ୍‌ଟି ପଦ୍ଧତିରେ ରୋଗକୁ ଦୂର କରାଯାଇ ପାରିବ।

ସୂଚନା ଅନୁଯାୟୀ ୨୦୧୬ ଅପ୍ରେଲରୁ ୨୦୧୭ ଅପ୍ରେଲ ମଧ୍ୟରେ ଏମ୍ସକୁ ଆସିଥିବା ୪୦ ଜଣ ବୃଦ୍ଧ ମଧୁମେୟ ରୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିବା କହିଛନ୍ତି ଏମ୍ସର ଡାକ୍ତର ପ୍ରସୁନ ଚାଟାର୍ଜୀ। ସେ କହିଛନ୍ତି ଏମ୍ସକୁ ଆସିଥିବା ଏହି ରୋଗୀମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଦଳଙ୍କ ଉପରେ ଡିଟିଏଲ୍‌ଟି ପଦ୍ଧତିରେ ଚିକିତ୍ସା କରାଗଲା। ଅନ୍ୟ ଏକ ଦଳଙ୍କୁ ସେମ୍‌ ଲେଜର୍‌ ଥେରାପୀ ବା ଏସ୍‌ଏଲ୍‌ଟି ଦିଆଗଲା। ପ୍ରାୟ ୧୨ ସପ୍ତାହ ପରେ ଡିଟିଏଲ୍‌ଟି ପଦ୍ଧତିରେ ଚିକିତ୍ସା କରାଯାଇଥିବା ରୋଗୀଙ୍କର ପାଦର ଯନ୍ତ୍ରଣା କମିଗଲା। ଅନିୟନ୍ତ୍ରିତ ମଧୁମେୟ ଯୋଗୁଁ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଡିଟିଏଲ୍‌ଟି ପଦ୍ଧତିରେ ପାଦର ମାଂସପେଶୀରେ ଲେଜର୍‌ ଲାଇଟ୍‌ ପକାଇ ଚିକିତ୍ସା କରାଯାଇଥାଏ। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ଚିକିତ୍ସା ଅଧିକ ଲାଭ ଦାୟକ ବୋଲି ଡାକ୍ତର ବିଜୟ ଗୁର୍ଜର କହିଛନ୍ତି ।

ମତାମତ ଦିଅନ୍ତୁ ।