ଶଙ୍ଖା-ସିନ୍ଦୁର ପିନ୍ଧୁନଥିବା ସ୍ତ୍ରୀକୁ ଛାଡପତ୍ର

ଗୌହାଟୀ : ଶଙ୍ଖା ଓ ସିନ୍ଦୁର ପିନ୍ଧୁନଥିବା ଜଣେ ମହିଳାଙ୍କୁ ଛାଡପତ୍ର ଦେବାପାଇଁ ତାଙ୍କ ସ୍ଵାମୀ ଗୌହାଟୀ ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ। କୋର୍ଟ ଏହି ମାମଲାର ଶୁଣାଣି କରି ଛାଡପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି।

ଖବର ଅନୁଯାୟୀ ୨୦୧୨ ମସିହା ଫେବୃଆରୀ ୧୭ ତାରିଖରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଝଗଡା ହେବାରୁ ମହିଳା ଜଣଙ୍କ ଶଙ୍ଖା ଓ ସିନ୍ଦୁର ପିନ୍ଧିନଥିଲେ। ୨୦୧୩ ଜୁନ ୩୦ ଠାରୁ ଦୁହେଁ ଅଲଗା ରହିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ। କିନ୍ତୁ ଏହା ମିଛ ବୋଲି ଜଣା ପଡିଥିଲା। ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଛାଡପତ୍ର ପାଇଁ ପାରିବାରିକ କୋର୍ଟରେ ଆବେଦନ କରିଥିଲେ। ପାରିବାରିକ କୋର୍ଟ ଛାଡପତ୍ରକୁ ଅନୁମତି ନଦେବାରୁ ପୀଡିତ ସ୍ୱାମୀ ହାଇକୋର୍ଟରେ ପହଞ୍ଚିଥିଲେ।

ପ୍ରଧାନ ବିଚାରପତି ଅଜୟ ଲାମ୍ବା ଓ ଜଷ୍ଟିସ ସୋମିତ୍ର ସାଇକିଆ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ହିନ୍ଦୁ ପରମ୍ପରା ଅନୁଯାୟୀ ଶଙ୍ଖା ଓ ସିନ୍ଦୁର ହେଉଛି ଜଣେ ବିବାହିତା ନାରୀର ପ୍ରତୀକ। ପତ୍ନୀ ଏହାକୁ ଲଗାଇବାକୁ ମନା କରିବାର ଦୁଇଟି କାରଣ ସାମ୍ନାକୁ ଆସୁଛି। ପ୍ରଥମ ସେ ବିବାହିତ ବୋଲି ଅନ୍ୟକୁ ଜଣାଇବାକୁ ଚାହୁଁ ନାହାନ୍ତି। ଅନ୍ୟଟି ବିବାହରେ ସେ ଖୁସି ନାହାନ୍ତି। ତାଙ୍କ ମନୋଭାବ ବିବାହରେ ଖୁସି ନଥିବା ସ୍ପଷ୍ଟ କରୁଛି। ଏଭଳି ପରିସ୍ଥିତିରେ ଦୁହେଁ ଅଲଗା ହୋଇଯିବ ଭଲ। କେବଳ ସେତିକି ନୁହେଁ ସ୍ୱାମୀଙ୍କୁ ତାଙ୍କ ବୁଢ଼ୀ ମା’ଙ୍କ ଦେଖାଶୁଣା କରିବାକୁ ମହିଳାଜଣଙ୍କ ରୋକୁଥିବାର ପ୍ରମାଣ ଆମ ପାଖରେ ପହଞ୍ଚିଛି। ଏ ସବୁକୁ ଦୃଷ୍ଟିରେ ରଖି ଆମେ ଏହି ଛାଡପତ୍ର ଆବେଦନକୁ ମଞ୍ଜୁର କରିବା ସହିତ ପାରିବାରିକ କୋର୍ଟର ଆଦେଶକୁ ପ୍ରତ୍ୟାହାର କରୁଛୁ।

ମତାମତ ଦିଅନ୍ତୁ ।