ଶସ୍ତା ହେବ ଡାକ୍ତରୀ ଉପକରଣ

ନୂଆଦିଲ୍ଲୀ : ଅଧିକ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ମେଡିକାଲ ଉପକରଣର ଦାମ କମିବ । ସରକାର ଏଗୁଡ଼ିକର ତାଲିକା ପ୍ରସ୍ତୁତ କରି ଏହାର ବାଣିଜ୍ୟିକ ଲାଭକୁ ସୀମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେତେକ କ୍ଷେତ୍ରରେ ବିତରକ, ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ହସ୍ପିଟାଲଗୁଡ଼ିକ ଏଭଳି ଉପକରଣ ଉପରେ ମନଇଚ୍ଛା ଦାମ ଲଗାଇ ବିପୁଳ ଲାଭ ଅର୍ଜନ କରୁଛନ୍ତି । ଏହି ଉତ୍ପାଦ ମଧ୍ୟରେ ଷ୍ଟେଣ୍ଟ, କ୍ୟାଥେଟର ଆଦି ରହିଛି । ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବାରୁ ବେପାରୀମାନେ ଏଥିରୁ ବିପୁଳ ଲାଭ ହାସଲ କରୁଛନ୍ତି । ତେଣୁ ସରକାର ଏହି ଉପକରଣଗୁଡ଼ିକୁ ତାଲିକାଭୁକ୍ତ କରି ଏଗୁଡ଼ିକର ବାଣିଜ୍ୟିକ ଲାଭ ଉପରେ ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିବେ । ଫଳରେ ରୋଗୀମାନେ ଉପକୃତ ହେବେ । ସେମାନଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ମେଡିକାଲ ଉପକରଣ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ସରକାରଙ୍କ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ କାର୍ଡିଆକ୍‌ ଷ୍ଟେଣ୍ଟ, କଣ୍ଡୋମ ଓ ୟୁଟେରାଇନ୍‌ ଡିଭାଇସ୍‌ ସ୍ଥାନ ପାଇଛି । ନିକଟରେ ଆଣ୍ଠୁ ପ୍ରତିରୋପଣ ଉପକରଣକୁ ଏହି ତାଲିକାରେ ସାମିଲ କରାଯାଇଥିଲା । ଆହୁରି ଅନେକ ଜରୁରି ଉପକରଣ ଏଥିରେ ସାମିଲ ହୋଇନଥିବାରୁ ଏଗୁଡ଼ିକୁ ଚଢ଼ା ଦରରେ ବିକ୍ରୟ କରାଯାଉଛି ।

ମତାମତ ଦିଅନ୍ତୁ ।