ଶାଶୂ ଘରର ୬ ଜଣଙ୍କୁ ମାରିଲା ବୋହୂ

ନୂଆଦିଲ୍ଲୀ : ଶାଶୂ ଘରର ଛଅ ଜଣଙ୍କୁ ହତ୍ୟା କରିଛି ବୋହୂ। ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହିତ ଜଣେ ବର୍ଷକର ନିଷ୍ପାପ ଶିଶୁକୁ ବି ଛାଡିନି। ଯୋଜନାବଦ୍ଧ ଭାବେ ନେଇଛି ଏ ସମସ୍ତଙ୍କ ଜୀବନ। କେରଳ କୋଝିକୋଡ୍‌ରେ ଏପରି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଜଲି ନାମକ ଏଇ ମହିଳା ୧୯୯୭ ମସିହାରେ କୋଝିକୋଡ୍‌ର ରୟ ଥୋମସଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ୫ବର୍ଷ ପରେ ମହିଳା ଜଣଙ୍କ ତାର ମିଶନ ଆରମ୍ଭ କରିଥିଲା। ୨୦୦୨ରେ ପ୍ରଥମ ଶିକାର ହୋଇଥିଲେ ଶାଶୂ ଆନ୍ନାମା। ଏହାର ୬ବର୍ଷ ପରେ ଶ୍ୱଶୂର ଟମ୍ ଯୋଜ୍। ୩ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ସ୍ୱାମୀ ରୟ ଥୋମାସ୍ ରାସ୍ତାରୁ ହଟାଇ ଦେବାପରେ ସେହିବର୍ଷ ଜେନ ସମ୍ପର୍କୀୟାର ବର୍ଷକର ଝିଅ ଆଲଫାଇନ୍ କୁ ମାରିଥିଲା ସେଇ ପିଶାଚିନୀ ମହିଲା। କଥା ଏତିକିରେ ସରିଲାନି। ୨୦୧୪ରେ ମାମୁଁ ଶ୍ୱଶୂର ମାଥ୍ୟୁ ଓ ୨୦୧୬ରେ ଆଲଫାଇନ୍‌ର ମାଆ ସିଲିକୁ ବି ହତ୍ୟାକଲା। ସମସ୍ତଙ୍କୁ ମାରିବାର ତାରିକା ଥିଲା ଏକପ୍ରକାର। ଖାଦ୍ୟ ଓ ପାନୀୟରେ ପ୍ରାଣଘାତକ ସାଇନାଇଡ୍ ଖୁଆଇ ମାରିଥିଲା। କେବଳ ସେତିକି ନୁହେଁ ଛୋଟ ଝିଅଟିକୁ ହତ୍ୟାକରି ମହିଳା ଜଣଙ୍କ ତାର ବାପା ସାଜୁକୁ ଦ୍ୱିତୀୟ ବିବାହ କରିଥିଲା।

ଏତେ ଗୁଡିଏ ହତ୍ୟା କରିବା ପରେ ମଧ୍ୟ ସେ ନିଜକୁ କୋଜିକୋଡ଼ ଏନଆଇଟିର ପ୍ରଫେସର ବୋଲି କହୁଥିଲା। ଜାଲ୍ ପରିଚୟପତ୍ର ମଧ୍ୟମରେ ଭୁତେଇ ଚାଲିଥିଲା ୧୪ବର୍ଷ। ହେଲେ ସଂପତ୍ତି ବିବାଦ ଗୁମର ଖୋଲିଲା। ଆମେରିକାରେ ରହୁଥିବା ଦେଢଶୂର ରୋଜୋ ଥୋମାସ ସହ ସଂପତ୍ତିକୁ ନେଇ ସୃଷ୍ଠିହେଲା ବିବାଦ। ଜାଲ୍ ଡକ୍ୟୁମେଣ୍ଟକୁ ନେଇ ସନ୍ଦେହ ହେବାରୁ ସବୁ କଥା ପଦାକୁ ଆସିଥିଲା। ପୋଲିସ ଆଗରେ ହତ୍ୟାକାରୀ ସତ ମାନିବା ପରେ ସାଇନାଇଡ୍ ଯୋଗାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଧରିଛି। ମୃତଦେହ ଗୁଡିକର ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ପୋଲିସ ତଦନ୍ତ ଆଗକୁ ନେଉଥିବା ବେଳେ ହତ୍ୟାକାରୀକୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି।

ମତାମତ ଦିଅନ୍ତୁ ।