ଶ୍ଵଶୁର ଲଗାଇଲେ ବୋହୂ ରୁମ୍‌ରେ କ୍ୟାମେରା

ନୂଆଦିଲ୍ଲୀ : ବୋହୂର ଶୋଇବା ଘରେ ଶ୍ଵଶୁର ସିସିଟିଭି କ୍ୟାମେରା ଲଗାଇବା ଟିକେ ଅଡୁଆ ଲାଗିପାରେ। କିନ୍ତୁ ବିହାର ପାଟଣା ଖୁସୁରୁପୁରରେ ଜଣେ ବ୍ୟକ୍ତି ଏହାହିଁ କରିଛନ୍ତି। ବୋହୂ ଆତ୍ମହତ୍ୟା ଧମକ ଦେଉଥିବାରୁ ଧାର କରଜ କରି କ୍ୟାମେରା ଲଗାଇଥିବା ଶ୍ଵଶୁର କହୁଥିବା ବେଳେ ବୋହୂ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ମାମଲା ମହିଳା କମିଶନଙ୍କ ପର୍ଯ୍ୟନ୍ତ ଯାଇଛି।

ଶ୍ଵଶୁରଙ୍କ କହିବା କଥା ହେଲା ତାଙ୍କ ବୋହୂ ବହୁଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିସାରିଛନ୍ତି। ରାଗିଯାଇ ନିଜ ଛୁଆମାନଙ୍କୁ କିରୋସିନି ପିଆଇ ଦେଇଥିବା ବେଳେ ସ୍ଵାମୀଙ୍କୁ ମଧ୍ୟ ସିଡିରୁ ଧକ୍କା ଦେଇଦେଇଥିଲେ। ଆଉ ଆତ୍ମହତ୍ୟା କରି ପରିବାରର ସମସ୍ତ ସଦସ୍ୟଙ୍କୁ ଫସାଇଦେବା ଲାଗି ଧମକ ଦେଉଛନ୍ତି। ତେଣୁ ବୋହୂର ଶୋଇବା ଘର ସମେତ ୪ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ବାଧ୍ୟ ହୋଇଛି। ସେ କହିଛନ୍ତି ପୁଅ ସବୁବେଳେ ଅସୁସ୍ଥ ରହୁଥିବାରୁ ସେ ଏକା ରୋଜଗାର କରି ଘର ଚଳାଉଛନ୍ତି। କାମରୁ ଫେରିଲେ ବୋହୂର ଧମକ ଶୁଣିବାକୁ ପଡୁଛି। କ୍ୟାମେରା ଲଗାଇବା ଫଳରେ ତାଙ୍କୁ ଆଉ ଫସାଇବାର ଭୟ ନାହିଁ।

ଅନ୍ୟପକ୍ଷରେ ଶ୍ଵଶୁର ସିସିଟିଭି କ୍ୟାମେରା ଲଗାଇବା ପରେ ବୋହୂ ମହିଳା କମିଶନ ଏବଂ ଫ୍ୟାମିଲି କୋର୍ଟରେ ସ୍ଵାମୀ, ଶ୍ଵଶୁର, ଶାଶୁ, ନଣନ୍ଦ ଓ ଦିଅରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ। ମହିଳା କମିଶନ ଉଭୟ ପକ୍ଷଙ୍କୁ କଥା ଶୁଣିବା ପରେ ବୁଝାମଣା ଭିତ୍ତିରେ ସମସ୍ୟାର ସମାଧାନ କରିଛନ୍ତି।

ମତାମତ ଦିଅନ୍ତୁ ।