ସରକାରଙ୍କ ଜବରଦଖଲ ଉଚ୍ଛେଦ ପଦକ୍ଷେପ ପ୍ରଶଂସନୀୟ-ଆମିକସ୍‌ କ୍ୟୁରି

ଭୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ସୁରକ୍ଷା ଓ ପୁରୀର ବିକାଶ ନିମନ୍ତେ ସରକାରଙ୍କ ପ୍ରତିଟି କାର୍ଯ୍ୟ ପ୍ରଶଂସନୀୟ। ଏହାଦ୍ୱାରା କାହାର କିଛି କ୍ଷତି ହେବନାହିଁ ବରଂ ଲାଭ ହେବ। ଏହା କହିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର।

ପୁରୀ ଆସିଥିବା ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଆଜି ମନ୍ଦିର ଚାରିପାଖ ଜବରଦଖଲ ଉଚ୍ଛେଦ ଅଭିଯାନର ସମୀକ୍ଷା କରିଥିଲେ। ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟାଙ୍କ ସହ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ଦୋକାନୀ ଓ ବ୍ୟବସାୟୀଙ୍କୁ ଭେଟିଥିଲେ। ଜବରଦଖଲ ଉଚ୍ଛେଦ ଦ୍ୱାରା କଣ ଅସୁବିଧା ହେଉଛି ସେ ବିଷୟରେ ପଚାରି ବୁଝିଥିଲେ।

ଆମିକସ୍‌ କ୍ୟୁରି କହିଥିଲେ ଯେ, ରାଜ୍ୟ ସରକାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପୁରୀ ସହରବାସୀ, ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତଙ୍କର ମଙ୍ଗଳ ହେବ। ସମସ୍ତେ ଆନନ୍ଦରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଯୋଗ ପାଇବେ। ସହର ପରିଷ୍କାର ଓ ପରିଚ୍ଛନ୍ନ ଦ୍ୱାରା ଅଧିକରୁ ଅଧିକ ଲୋକ ଆସିବେ। ଆଗକୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ। ଏହାକୁ ଦେଖିବା ପାଇଁ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କର ସମାଗମ ହେବ। ତେଣୁ ସରକାରଙ୍କ ପଦକ୍ଷେପ ଭକ୍ତମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ମଙ୍ଗଳଦାୟୀ ହେବ। ପୁରୀକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାରମ୍ୱାର ଆସିବାକୁ ଆଗ୍ରହ ଦେଖାଇବେ।

ସେ କହିଲେ ସରକାର ଯେଉଁଭଳି ପୁରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଅନୁମତି ଦେଇଛନ୍ତି, ସେଥିରେ କୌଣସି ଅସୁବିଧା ନାହିଁ। ଉଚ୍ଛେଦ ଅଭିଯାନରେ କାହାକୁ ଜବରଦସ୍ତି କରାଯାଇ ନାହିଁ। ସମସ୍ତଙ୍କ ସହ ଆଲୋଚନା କରାଯାଇଛି। ଉପଯୁକ୍ତ କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ସରକାରଙ୍କର ଏହା ବଡ଼ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।