ସିଂହଦ୍ୱାରରେ ତିନିରଥ, ଗୁରୁବାର ସୁନାବେଶ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଆଜି ଶେଷ ହୋଇଛି। ବୁଧବାର ଅପରାହ୍ନ ୪ଟା ୩୫ ସୁଦ୍ଧା ଶ୍ରୀମନ୍ଦିରର ସିଂହଦ୍ୱାରରେ ପହଞ୍ଚିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ।

ଆଜି ଶ୍ରୀଜିଉମାନେ ୯ ଦିନର ଯାତ୍ରାସାରି ଜନ୍ମବେଦୀରୁ ବାହୁଡି ଛନ୍ତି। ଏହି ବାହୁଡ଼ା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରରୁ ବାହାରିଥିଲା ବଡ ଠାକୁର ବଳଦେବଙ୍କ ତାଳଧ୍ୱଜ ରଥ। ପୂର୍ବାହ୍ନ ୧୧ଟା ୨୫ରେ ଆରମ୍ଭ ହୋଇଥିଲା ରଥଟଣା। ତା’ପରେ ଗଡ଼ିଥିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଅପରାହ୍ନ ୧ଟା ୨୧ରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା। ଶ୍ରୀମନ୍ଦିର ସମ୍ମୁଖରେ ବଡ଼ ଭାଇ ଓ ଭଉଣୀ ପହଂଚିବାର ପ୍ରାୟ ଘଣ୍ଟାଏ ପରେ ପହଂଚିବାର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ଵାରରେ ନିର୍ଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ପ୍ରାୟ ୨୦ ମିନିଟ ଯାଏଁ ଚାଲିଥିଲା ଏହି ନୀତି।

ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ସୁନାବେଶ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ଯାଏଁ ଜାରି ରହିବ। ଶୁକ୍ରବାର ଅଧରପଣା ନୀତି। ଆସନ୍ତା ୪ ତାରିଖରେ ତିନି ଠାକୁର ନୀଳାଦ୍ରିବିଜେ କରି ରତ୍ନବେଦୀକୁ ବିଜେ କରିବେ।

ମତାମତ ଦିଅନ୍ତୁ ।