ସିଂହଦ୍ୱାର ସାମ୍ନାରେ ସାଧୁଙ୍କୁ ତଣ୍ଟିଆ

ଭୁବନେଶ୍ଵର : ପୋଲିସ ହେବ ଜନତାଙ୍କ ବନ୍ଧୁ। ଥାନାକୁ ଅଭିଯୋଗ ନେଇ ଯାଉଥିବା ଲୋକଙ୍କୁ ଥାନା କର୍ମଚାରୀ ଭଲ ଆଚରଣ ଦେଖାଇବେ। ଡିଜିପି ବିଜୟ କୁମାର ଶର୍ମା କହିଥିବା ଏ କଥା ଶୁଣିବାକୁ ଭଲ ଲାଗୁଥିଲା। କିନ୍ତୁ ବାସ୍ତବତା କଣ ତାହା ସମସ୍ତଙ୍କୁ ଜଣା। ପୁରୀରେ ଜଣେ ସାଧୁଙ୍କ ପ୍ରତି ପୋଲିସର ବ୍ୟବହାରକୁ ଏହାର ଏକ ସଦ୍ୟ ଉଦାହରଣ ବୋଲି କୁହାଯାଇପାରେ। ଏହି ପୋଲିସ ବାବୁ ଜଣଙ୍କ ରାସ୍ତା ଉପରେ ଜଣେ ସାଧୁଙ୍କୁ ତଣ୍ଟିଆ ମାରି ଥାନାକୁ ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ଫଟୋ। ସିଂହଦ୍ୱାର ସମ୍ମୁଖରେ ଗେରୁଆ ବସ୍ତ୍ର ପିନ୍ଧିଥିବା ଜଣେ ସାଧୁଙ୍କୁ ପୋଲିସ ବାବୁ ଜଣଙ୍କ ଧକ୍କା ମାରୁଥିବା ଏଥିରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଗେରୁଆ ବସ୍ତ୍ରଧାରୀ ବାବା ଜଣକ ସିଂହଦ୍ୱାର ସମ୍ମୁଖସ୍ଥ ମଙ୍ଗୁ ମଠର ମହନ୍ତଙ୍କୁ ଭେଟିବାକୁ ଯାଉଥିଲେ। ପୋଲିସ ବାବୁଙ୍କ ନଜର ପଡ଼ିବାରୁ ମହନ୍ତଙ୍କୁ ସେ ଭେଟି ପାରିବେନି କହିଥିଲେ। ମାତ୍ର ସାଧୁ ଜଣକ ମହନ୍ତଙ୍କୁ ଭେଟିବାକୁ ଜିଦ୍ କରିବାରୁ ପୋଲିସ ବାବୁ ନିଜର ଅସଲ ରୂପ ଦେଖାଇ ସାଧୁଙ୍କୁ ଧକ୍କା ଦେବା ସହିତ ବେକକୁ ଧରି ଠେଲି ଠେଲି ଥାନାକୁ ନେଇ ଯାଇଥିଲେ। ତାଙ୍କୁ ସିଂହଦ୍ୱାର ଫାଣ୍ଡିରେ ଅଟକ ରଖା ଯାଇଥିବା ଜଣାପଡ଼ିଛି ।

ମତାମତ ଦିଅନ୍ତୁ ।