ସୀମାରେ ସଡ଼କ ନିର୍ମାଣରେ ନିୟୋଜିତ କର୍ମଚାରୀଙ୍କ ଦରମା ୧୦୦ରୁ ୧୭୦% ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ସୀମାରେ ସଡ଼କ ନିର୍ମାଣ କାର୍ଯ୍ୟରେ ଠିକା ଭିତ୍ତିରେ ନିୟୋଜିତ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ସେମାନଙ୍କ ଦରମାରେ ୧୦୦ରୁ ୧୭୦% ଯାଏଁ ବୃଦ୍ଧି କରିବା ସହିତ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଏବଂ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍‌ ସଂଲଗ୍ନ ସୀମାରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଏହାଦ୍ୱାରା ଉପକୃତ ହେବେ । ବର୍ତ୍ତମାନ ଲଦାଖରେ ଚୀନ୍‌ ସହିତ ସୀମା ବିବାଦକୁ ନେଇ ଉତ୍ତେଜନା ଦେଖା ଦେଇଥିଲାବେଳେ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ଏହାଯୋଗୁ ସବୁଠାରୁ ବେଶୀ ଫାଇଦା ହେବ । କାରଣ ସେମାନଙ୍କର ଦରମା ସବୁଠାରୁ ଅଧିକ ବୃଦ୍ଧି କରାଯାଇଛି । ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ନିର୍ମାଣ ନିଗମ ତରଫରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଜୁନ୍‌ ୧ରୁ ଏହା ଲାଗୁ ହେବ । 

ନୂଆ ଆଦେଶ କାର୍ଯ୍ୟକାରୀ ହେବା ପରେ, ଲଦାଖରେ ଡାଟା ଏଣ୍ଟ୍ରି ଅପରେଟର ପରି ଅଣ-ବୈଷୟିକ ପଦବୀରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଦରମା ମାସକୁ ୧୬,୭୭୦ ଟଙ୍କାରୁ ବୃଦ୍ଧି ପାଇ ୪୧,୪୪୦ ଟଙ୍କାରେ ପହଞ୍ଚିବ । ଦିଲ୍ଲୀରେ ସମାନ ପଦବୀରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାସିକ ୨୮,୦୦୦ ଟଙ୍କା ଦରମା ପ୍ରଦାନ କରାଯାଉଛି । ସେହିପରି ଲଦାଖରେ ସଡ଼କ ନିର୍ମାଣ ପ୍ରକଳ୍ପରେ କାର୍ଯ୍ୟରତ ଜଣେ ଆକାଉଣ୍ଟାଣ୍ଟଙ୍କ ଦରମା ମାସକୁ ୨୫,୭୦୦ରୁ ୪୭,୩୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଲଦାଖରେ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜଣେ କର୍ମଚାରୀଙ୍କ ଦରମାକୁ ଦୁଇ ଗୁଣ କରାଯାଇ ମାସକୁ ୬୦,୦୦୦ ଟଙ୍କା କରାଯାଇଛି । 

ସେହିପରି ମ୍ୟାନେଜର ପଦବୀରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବି ମାସକୁ ୫୦,୦୦୦ରୁ ୧,୧୨,୮୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଜଣେ ସିନିୟର ମ୍ୟାନେଜର ପୂର୍ବରୁ ମାସିକ ୫୫,୦୦୦ ଟଙ୍କା ପାଉଥିଲାବେଳେ ଏବେ ୧,୨୩,୬୦୦ ଟଙ୍କା ପାଇବେ । ଏହି କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ଜନିତ ବୀମା ସୁବିଧା ସାଙ୍ଗକୁ ମହଙ୍ଗା ଭତ୍ତା, ଯାତାୟାତ ନିମିତ୍ତ ଭତ୍ତା ଏବଂ ପିଏଫ ସୁବିଧା ବି ପ୍ରଦାନ କରାଯିବ । 

ଦୁର୍ଗମ ଏବଂ ଉତ୍ତେଜନା ପ୍ରବଣ ସ୍ଥାନଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଆସାମ, ମେଘାଳୟ, ତ୍ରିପୁରା, ସିକ୍କିମ ଏବଂ ଉତ୍ତରାଖଣ୍ଡ ସୀମାରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରଥମ ଶ୍ରେଣୀରେ ରଖାଯାଇଛି । ଏସବୁ ଅଞ୍ଚଳରେ ନିୟୋଜିତ କର୍ମଚାରୀଙ୍କ ଜୀବନ ପ୍ରତି ରିସ୍କ କମ୍‌ ଥିବାର ଦର୍ଶାଯାଇଛି । ତା’ ପରେ ଅରୁଣାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ନାଗାଲ୍ୟାଣ୍ଡ ଏବଂ ମିଜୋରାମରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦ୍ୱିତୀୟ ଶ୍ରେଣୀରେ ରଖାଯାଇଛି । ଏମାନଙ୍କ ଜୀବନ ପ୍ରତି ଥିବା ରିସ୍କ ମଧ୍ୟମ ଧରଣର ବୋଲି କୁହାଯାଇଛି । କିନ୍ତୁ ଲଦାଖରେ ନିୟୋଜିତ କର୍ମଚାରୀମାନଙ୍କୁ ତୃତୀୟ ଶ୍ରେଣୀରେ ରଖାଯାଇଛି । ସେଠାରେ ସେମାନଙ୍କ ଜୀବନ ପ୍ରତି ଥିବା ରିସ୍କ ସବୁଠାରୁ ଅଧିକ ବୋଲି ଦର୍ଶାଯାଇଛି । ତେଣୁ ସେମାନଙ୍କୁ ସବୁଠାରୁ ଅଧିକ ଦରମା ପ୍ରଦାନ କରିବାକୁ ସ୍ଥିର କରାଯାଇଛି ।

ମତାମତ ଦିଅନ୍ତୁ ।