ସେବାର ବାର୍ତ୍ତା ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ଵର: କାର୍ଯ୍ୟ ଜରିଆରେ ସେବାର ବାର୍ତ୍ତା ପ୍ରଚାର କର। ଭୁବନେଶ୍ଵର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଜେଡିର ଜନସଂପର୍କ ପଦଯାତ୍ରାରେ କର୍ମୀମାନଙ୍କୁ ଏହି ଆହ୍ଵାନ ଦେଇଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗାନ୍ଧୀ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ଜନସଂପର୍କ ପଦଯାତ୍ରା ଆଜି ଉଦଯାପିତ ହୋଇଛି। ଭୁବନେଶ୍ଵର (ଉତ୍ତର)ର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ସାଲିଆ ସାହି ବାଜପେୟୀ ନଗରର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପଞ୍ଚମ ଥରଲାଗି ବିଜେଡିକୁ ସେବା କରିବାର ସୁଯୋଗ ମିଳିଛି। ତେଣୁ କାର୍ଯ୍ୟ ଜରିଆରେ ସେବାର ବାର୍ତ୍ତା ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ଆହ୍ଵାନ ଦେଇଥିବା ବେଳେ ବିଜେଡି ବାପୁଜୀ ଓ ବିଜୁବାବୁଙ୍କ ଆଦର୍ଶରେ ବିଶ୍ଵାସ କରେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଯୋଗ ଦେଇଥିଲେ।

ମତାମତ ଦିଅନ୍ତୁ ।