ସ୍ପାଇସ୍‌-୨୦୦୦ ବୋମା ଅଧିକ କିଣିବ ଭାରତ

ନୂଆଦିଲ୍ଲୀ: ଅତ୍ୟନ୍ତ ଶକ୍ତିଶଳୀ ତଥା ସାଂଘାତିକ ସ୍ପାଇସ୍‌-୨୦୦୦ ବୋମାକୁ ଅଧିକ ମାତ୍ରାରେ କ୍ରୟ କରିବା ପାଇଁ ଭାରତୀୟ ସେନା ନିଷ୍ପତ୍ତି ନେଇଛି। ସେନାର ଏହି ନିଷ୍ପତ୍ତିକୁ ଅଗ୍ରାଧିକାର ଦେଇ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ନିଜର ସମ୍ମତ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଆକାଶ ମାର୍ଗରେ ଥାଇ ଭୂପୃଷ୍ଠରେ ଥିବା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଉଡ଼ାଇ ଦେବା ପାଇଁ ସ୍ପାଇସ୍‌-୨୦୦୦ ବୋମାର ଦକ୍ଷତା ରହିଛି।

ଲଦାଖର ଗଲଓ୍ଵାନ ଘାଟିରେ ଏଲଏସିକୁ କେନ୍ଦ୍ରକରି ସଂପ୍ରତି ଉଭୟ ଭାରତ ଓ ଚୀନ୍‌ର ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଏ ପରିପ୍ରେକ୍ଷୀରେ ଭାରତୀୟ ସେନାର ସ୍ପାଇସ୍‌-୨୦୦୦ ବୋମା କ୍ରୟ ନିଷ୍ପତ୍ତିକୁ ସରକାର ଅଗ୍ରାଧିକାର ଦେଇଛନ୍ତି। ଗତବର୍ଷ ଭାରତୀୟ ସେନା ପାକିସ୍ତାନ ଭିତରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ବାଲାକୋଟରେ ଥିବା ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ସ୍ପାଇସ୍‌-୨୦୦୦ ବୋମା।

ଭାରତୀୟ ସେନା ନିକଟରେ ଥିବା ସ୍ପାଇସ-୨୦୦୦ ବୋମା ୭୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରଖିଛି। ଏପରିକି ଶତ୍ରୁପକ୍ଷର ବଙ୍କର ଏହି ସ୍ପାଇସ୍‌-୨୦୦୦ ବୋମା ମାଡ଼ରୁ ନିଜକୁ ବଞ୍ଚାଇ ରଖିପାରିବ ନାହିଁ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ କାଳରେ ଏହାର ପ୍ରମାଣ ସମଗ୍ର ବିଶ୍ୱକୁ ମିଳି ସାରିଛି।

ମତାମତ ଦିଅନ୍ତୁ ।