ସ୍ୱଦେଶୀ ଜିନିଷ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଦେଶୀ ଜିନିଷ କିଣିବାକୁ ପରାମର୍ଶ ଦେଇଛନ୍ତି।

ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ ୫୮ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବପର୍ବାଣି ନିମନ୍ତେ ଆମେ ସ୍ଥାନୀୟ ଜିନିଷ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କିଣାକିଣି କରିବାକୁ ମୁଁ ସବୁବେଳେ ଲୋକମାନଙ୍କୁ କହେ। ସେ କହିଲେ କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ଲୋକେ ଦୀପାବଳି ପାଳୁଛନ୍ତି। ଚାଲନ୍ତୁ, ଉତ୍ସବ ପର୍ଯ୍ୟଟନ ବଢ଼ାଇବା ନିମନ୍ତେ କାମ କରିବା। କନ୍ନଡ଼ ଭାଷାରେ କବି ସାଞ୍ଚି ହୋନାମ୍ମା ‘ଭାରତ କି ଲକ୍ଷ୍ମୀ’ ଶୀର୍ଷକ କବିତାଟିଏ ଲେଖିଥିଲେ। ଏହା ଏବେ ମଧ୍ୟ ପ୍ରାସଙ୍ଗିକ। ସେହିପରି ଆମେ ଗୁରୁ ନାନକଙ୍କର ୫୫୦ତମ ଜୟନ୍ତୀ ପାଳନ କରୁଛନ୍ତି। ସେ ସନୁବେଳେ ସେବାକୁ ଗୁରୁତ୍ୱ ଦେଉଥିଲେ। ଅନେକ ସ୍ଥାନକୁ ଯାତ୍ରା କରି ବହୁ ସାଧୁସନ୍ଥଙ୍କୁ ଭେଟିଥିଲେ ଯାହା ଉଦାସି ଭାବେ ଜଣାଶୁଣା। ସେ ଗୟା ଓ ଶ୍ରୀଲଙ୍କାକୁ ମଧ୍ୟ ଯାଇଥିଲେ। ତାଙ୍କର କଶ୍ମୀର ଗସ୍ତ ସେଠାକାର ଲୋକଙ୍କ ସହ ଶିଖ୍‌ମାନଙ୍କର ସମ୍ପର୍କକୁ ନିବିଡ଼ କରିଥିଲା। ସେଥିପାଇଁ ପ୍ରାୟ ୮୫ଟି ଦେଶର ରାଷ୍ଟ୍ରଦୂତ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି।

ମୋଦୀ କହିଲେ ଅକ୍ଟୋବର ୩୧ ତାରିଖ ସର୍ଦାର ପଟେଲଙ୍କ ଜନ୍ମଦିନ। ଦେଶ ସର୍ବଦା ସର୍ଦାର ପଟେଲଙ୍କ ନିକଟରେ ଋଣୀ ରହିବ। ରାଜ୍ୟ ମିଶ୍ରଣ ପାଇଁ ତାଙ୍କର ଭୂମିକା ଥିଲା। କେବଳ ସେତିକି ନୁହେଁ ଲକ୍ଷାଦ୍ୱୀପକୁ ମିଶାଇ ତାହାର ବିକାଶ ପାଇଁ ଯାହା ଆବଶ୍ୟକ ସେ ବନ୍ଦୋବସ୍ତ କରିଥିଲେ। ୨୦୧୪ ଠାରୁ ଅକ୍ଟୋବର ୩୧ ତାରିଖ ଦିନ ‘ଏକତା ଦିବସ’ ପାଳନ କରିଆସୁଥିବା ବେଳେ ଏ ବର୍ଷ ‘ରନ୍‌ ଫର୍‌ ୟୁନିଟି’ ଆୟୋଜନ କରୁଛୁ।

ପ୍ରଧାମନ୍ତ୍ରୀ କହିଲେ ଅକ୍ଟୋବର ୩୧ ତାରିଖ ଦିନ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଉ ଥରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି।

ମତାମତ ଦିଅନ୍ତୁ ।