ହନିଟ୍ରାପ : ଗିରଫ ହେଲେ ଖବର କାଗଜ ମାଲିକ

ଇନ୍ଦୋର : ଚର୍ଚ୍ଚାରେ ରହିଥିଲା ମଧ୍ୟପ୍ରଦେଶର ହନି ଟ୍ରାପ ମାମଲା। ଏହି ମାମଲାରେ ଛନ୍ଦି ହୋଇଛନ୍ତି ଆଞ୍ଚଳିକ ଖବର କାଗଜ ‘ସଞ୍ଝା ଲୋକସ୍ୱାମୀ’ର ମାଲିକ ଜିତୁ ସୋନି। ତାଙ୍କୁ ମଧ୍ୟପ୍ରଦେଶ କ୍ରାଇମ ବ୍ରାଞ୍ଚ ଗୁଜରାଟରୁ ଗିରଫ କରିଛି। ସୋନିଙ୍କ ବିରୋଧରେ ମାନବ ଚାଲାଣ, ଦୁଷ୍କର୍ମ ଓ ଅପହରଣ ଭଳି ଅନେକ ମାମଲା ପୋଲିସ ରୁଜୁ କରିଛି।

ରବିବାର ଇନ୍ଦୋର ଡେପୁଟି ଇନ୍ସପେକ୍ଟର ଜେନେରାଲ ହରିନାରାୟଣ ଚାରି ମିଶ୍ର କହିଛନ୍ତି ଜିତୁ ସୋନିଙ୍କୁ ଗୁଜରାଟରୁ ପୋଲିସ ଗିରଫ କରି ଇନ୍ଦୋରକୁ ଆଣିଛି। ସେ ଫେରାର ଥିଲେ। ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୪୫ରୁ ଅଧିକ ମାମଲା ରହିଛି। ତାଙ୍କ ନାମରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଥିଲା।
ବେଆଇନ୍ କାମ ଜରିଆରେ ଜିତୁ କୋଟି କୋଟି ଟଙ୍କା ଅର୍ଥ ଉପାର୍ଜନ କରିଥିବା ସୂଚନା ରହିଛି।

ଡିସେମ୍ୱର ୨୦୧୯ରେ ଜିତୁ ୬୭ ମହିଳାଙ୍କୁ ନିଜ ହୋଟେଲରେ ବନ୍ଧକ ରଖିଥିଲେ। ପୋଲିସ ରେଡ୍ କରିବା ପରେ ସମସ୍ତ ମହିଳା ଛାଡ଼ ପାଇଥିଲେ। ଏହାପରେ ଜିତୁଙ୍କ ବିରୋଧରେ ମାନବ ଚାଲାଣ ଓ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ମୁମ୍ୱାଇର ଜଣେ ମହିଳା ଗଣ ଦୁଷ୍କର୍ମର ଶିକାର, ଅନେକ ମହିଳାଙ୍କୁ ଏସକୋର୍ଟ ଭାବେ ବ୍ୟବହାର କରିବା ସହିତ ସେ ବିଭିନ୍ନ ବେଆଇନ କାମରେ ମହିଳାଙ୍କୁ ଲଗାଇଥିବା ପ୍ରମାଣ ପୋଲିସ ପାଇଛି। ଖାଲି ସେତିକି ନୁହେଁ ଜିତୁ ଉଭୟ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତାଙ୍କର ଅତି ନିକଟତମ ବ୍ୟକ୍ତି। ତାଙ୍କର ଅନେକ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ସହିତ ଲିଙ୍କ୍ ରହିଛି।

ମତାମତ ଦିଅନ୍ତୁ ।