‘ହାଓଡି ମୋଦି’ରେ ମୋଦି ଓଡିଆରେ କହିଲେ ଭାରତରେ ‘ସବୁ ଭଲ ଅଛି’

ନୂଆଦିଲ୍ଲୀ : ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ମଜବୁତ କରିବା ପାଇଁ ହ୍ୟୁଷ୍ଟନ୍‌ରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଆ ଭାଷା। ଭାରତରେ ‘ସବୁ ଭଲ ଅଛି’ ବୋଲି ସେ ଓଡିଆରେ କହିଥିଲେ।

‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ବିଭିନ୍ନ ରାଜ୍ୟର ଭାଷା କହିଥିଲେ। ଏହି ଶୟରେ ଓଡ଼ିଆ ବି ପଦେ କହିଥିଲେ। ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଏହା ଶୂଣି ଗର୍ବ ଅନୁଭବ କରିଥିଲେ। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଲେ ଏହି କାର୍ଯ୍ୟକ୍ରମର ନାମ ହାଓଡ଼ି ମୋଦୀ କିନ୍ତୁ ମୋଦୀ ଏକାକୀ କିଛି ନୁହଁନ୍ତି । ମୁଁ ୧୩୦ କୋଟି ଭାରତୀୟଙ୍କ ଆଦେଶରେ କାମ କରୁଥିବା ସାଧାରଣ ଏକ ମଣିଷ । ଏଥିପାଇଁ ଯେତେବେଳେ ଆପଣମାନେ ପଚାରିଲେ ହାଓଡ଼ି ମୋଦୀ, ତା’ର ଜବାବ ହେଉଛି, ଭାରତରେ ସବୁ ଠିକ। ସେ କହିଲେ ଆମର ଦେଶରେ ଶତାଧିକ ଭାଷା ଓ ବୋଲି ଅଛି। ମାତ୍ର ସମସ୍ତଙ୍କୁ ନେଇ ଆମେ ଆଗକୁ ଚାଲିଛୁ। ଆଜି ଭାରତର ନୂଆ ଶ୍ଲୋଗାନ ହେଉଛି, ସଂକଳ୍ପରୁ ନ୍ୟୁ ଇଣ୍ଡିଆ। ଏଥିପାଇଁ ଭାରତ ଦିନ-ରାତି ଲାଗିଛି। ଧୈର୍ଯ୍ୟ ଆମର ପରିଚୟ ବୋଲି ମୋଦୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ଓ ଅନ୍ୟ ଭାରତୀୟ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ସ୍ଥାନ ପାଇଥିଲା। ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ଭାରତୀୟ ମନ୍ଦିର ଦୃଶ୍ୟମାନ ହେଉଥିଲା। ଯାହାକି ସମ୍ପୂର୍ଣ୍ଣ ଭାବେ ବିଦେଶରେ ଭାରତର ଭ୍ରମ୍‌ ସୃଷ୍ଟି କରୁଥିଲା। ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଦେଖି ପ୍ରବାସୀ ଭାରତୀୟ ବିମୁଗ୍ଧ ହୋଇଯାଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ଶହ କଳାକାର ଅଂଶଗ୍ରହଣ କରିଥିଲେ।।

ମତାମତ ଦିଅନ୍ତୁ ।