ସମ୍ବଲପୁର : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଗତକାଲି ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର୍ ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ବବିଦ୍ୟାଳୟକୁ ଆଗାମୀ ୧୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଭିସୁଟ୍ର ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ସମୟରେ କେହି ବି କର୍ମଚାରୀ ହେଡକ୍ବାର୍ଟର୍ ଛାଡ଼ି ନ ଯିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଭିସୁଟର ରେଜିଷ୍ଟ୍ରାର୍ ଜଣାଇଛନ୍ତି।
ଭିସୁଟ୍ର ଜଣେ ଆକ୍ରାନ୍ତ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୭୦ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିହ୍ନଟ କରିବା ପରେ ସେମାନଙ୍କୁ ପୁଲହ ଛାତ୍ରାବାସ(କୋଭିଡ୍ ସଙ୍ଗରୋଧ କେନ୍ଦ୍ର)ରେ ରଖାଯାଇଛି। ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ରହିଥିବା ସମସ୍ତ କର୍ମଚାରୀଙ୍କ ସ୍ବାବ୍ ସଂଗୃହ କରାଯାଇଛି। ସିଭିଲ ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିଛନ୍ତି। ଏହି ସମୟରେ ଉକ୍ତ କର୍ମଚାରୀ ଜିଲ୍ଲା ମୁଖ୍ୟାଳୟରେ ହିଁ ରହିବେ ଓ ସଙ୍ଗରୋଧ ଅବଧି ଶେଷ ହେବା ପରେ ସେମାନେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିଥିବା ନେଇ ଏକ ଘୋଷଣାନାମା ଦେବେ ବୋଲି କୁଳସଚିବ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲ।